
ବାସ୍ତବ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ ଓ କଲେଜ ବନ୍ଦ ରହିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅନୁଷ୍ଠିତ ହେବ। ସେଥିପାଇଁ ଆରମ୍ଭ ହୋଇଯାଇଛି ପୂଜା ପଦ୍ଧତି। ୧୫ ତାରିଖରୁ ଯଜ୍ଞ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଯଜ୍ଞଶାଳାରେ ଅଙ୍କୁର ପୂଜା, ମଣ୍ଡଳ ଓ ଧ୍ୱଜା ସ୍ଥାପନ ଇତ୍ୟାଦି କର୍ମ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଶ୍ରଦ୍ଧାଳୁଙ୍କୁ ଦେଖି ପ୍ରଶାସନ ପୁରୀର ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରେ ୮୧ କୋଟି ୬୩ ଲକ୍ଷ ବ୍ୟୟରେ ସାଢ଼େ ୩ ଏକର ଜମିରେ ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା। ଏଠାରେ ଏକକାଳୀନ ୫୦୦ କାର ଓ ୫୦୦ ଦୁଇ ଚକିଆ ପାର୍କିଂ ହୋଇପାରିବ।
ସେହିପରି ୭ ହଜାର ବର୍ଗମିଟର ଜାଗା ଉପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରିମେଜ୍ ସେଣ୍ଟର ନିର୍ମିତ ହୋଇଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍ ଓ ପ୍ରଥମ ଫ୍ଲୋରରେ ୩୦୦ଟି ଦୁଇ ଚକିଆ ଓ ୧୪ଶହ ୦୨ଟି ଚାରି ଚକିଆ ପାର୍କିଂ ସୁବିଧା ରହିଛି। ସେପଟେ ସମଙ୍ଗର ୪୩ ଏକର ଜାଗାରେ ହୋଇଥିବା ପାର୍କିଂ ବ୍ୟବସ୍ଥାରେ ୪୨୯ଟି ବସ୍, ୫୪୯ଟି କାର୍, ୨୫୮ଟି ଅଟୋ ଓ ୧୦୫୪ଟି ଦୁଇ ଚକିଆ ରହିପାରିବ। ସେଠାରୁ ଇ-ଅଟୋ ଚାଲିବ। ଆସନ୍ତାକାଲି ହେବ ଶ୍ରୀସେତୁ ଓ ଶ୍ରୀମାର୍ଗର ଟ୍ରାଏଲ ରନ।