
ବାସ୍ତବ ବ୍ୟୁରୋ: ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କର ବଦଳି ହୋଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ସେହିପରି କଟକ ଜିଲ୍ଲାପାଳ ନରହରି ସେଠୀଙ୍କୁ ମାତ୍ର ୨ମାସରେ ହଟାଇ ଦିଆଯାଇଥିବାବେଳେ ରାଜନୀତିକ କାରଣରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ବାଦ୍ ପଡ଼ିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦକ୍ଷିଣାଂଚଳ ଆରଡିସି ୨୦୦୦ ବ୍ୟାଚ୍ ଆଇଏଏସ୍ ତେମଜେନୱାପଙ୍ଗ.ଆଓଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି ହୋଇଛି । ସେହିପରି ପଂଚାୟତିରାଜ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ସମ୍ବଲପୁର ଆରଡିସି, ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ୨୦୦୭ ବ୍ୟାଚ୍ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ବଦଳି ହୋଇଛି ଓ ସେ ଅତିରିକ୍ତ ଭାବେ ଦକ୍ଷିଣାଂଚଳ ଆରଡିସି ଦାୟିତ୍ୱରେ ରହିବେ ।
୨୦୧୧ ବ୍ୟାଚ୍ ଆଇଏଏସ୍ ଆଶୀଷ ଠାକରେଙ୍କୁ ପ୍ରାୟ ୫ବର୍ଷ ପରେ ଖଣିସମୃଦ୍ଧ କେନ୍ଦୁଝର ଜିଲ୍ଲାରୁ ବଦଳି କରି ମୟୂରଭଞ୍ଜର ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଓଏଏସ ଅଫିସରଙ୍କୁ ଜିଲ୍ଲାପାଳ ଦାୟିତ୍ୱରୁ ସରକାର ବିଦା କରି ୨୦୧୮ ବ୍ୟାଚର ୪ଜଣ ଆଇଏଏସ୍ ଓ ୨୦୧୯ ବ୍ୟାଚର ୬ଆଇଏଏସ୍ ଅଫିସରଙ୍କୁ ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୩୮ଜଣ ଆଇଏଏସ୍ ଓ ୩ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ରାଜନୀତିକ କାରଣରୁ ଖୋର୍ଦ୍ଧା ଜିଲ୍ଲାପାଳ ଆଇଏଏସ୍ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱରସ୍ଥିତ କ୍ଷୁଦ୍ର ମିନେରାନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଆଇଏଏସ୍ ଭିନିତ୍ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ କମିଶନର ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ, ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ତଥା ୨୦୧୨ ବ୍ୟାଚ୍ ଆଇଏଏସ୍ ବିଜୟ କୁମାର ଦାଶଙ୍କୁ ପୁରୀ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ, ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ନୟାଗଡ଼ ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ଶ୍ରୀଧର ଶଙ୍କର ସ୍ୱାଇଁଙ୍କୁ କଟକ ମହାନଗର ନିଗମ କମିଶନର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଂଚାୟତିରାଜ ବିଭାଗର ଯୁଗ୍ମ ସଚିବ, କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।