‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ

ବାସ୍ତବ ବ୍ୟୁରୋ: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନିତ କରାଯିବା ନେଇ ଶେଆର କରି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି।  ‘ଆଡଭାନୀଜୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା’ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଲାଲକୃଷ୍ଣ ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ସେ ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱରାଷ୍ଟ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ମାଧ୍ୟ କାର୍ଯ୍ୟ କରିଛନ୍ତି।” ରାଜନୈତିକ କ୍ଷେତ୍ରରେ ସେ ଏକ ଆଦର୍ଶ। ଜାତୀୟ ଏକତା ଏବଂ ସଂସ୍କୃତିର ପୁନରୁଦ୍ଧାର କ୍ଷେତ୍ରରେ ତାଙ୍କର ଉଦ୍ୟମ ଅତୁଳନୀୟ। ସେ ଭାରତ ରତ୍ନ ପାଇବାକୁ ଯାଉଥିବା ଘୋଷଣା କରିବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ତାଙ୍କ ସହ କାମ କରିବା, ତାଙ୍କଠାରୁ ଅନେକ କିଛି ଶିଖିବାର ସୁଯୋଗ ପାଇଛି, ଯାହାକୁ ମୁଁ ମୋର ସୌଭାଗ୍ୟ ବୋଲି ମନେକରୁଛି ।

ଅନ୍ୟପଟେ ଆଡଭାନୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ଭାରତ ରତ୍ନ କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ମିଳି ନାହିଁ। ବରଂ ଜୀବନବ୍ୟାପୀ ସେ ଯେଉଁ ନୀତି ଓ ଆଦର୍ଶକୁ ଅନୁପାଳନ କରିଚାଲିଥିଲେ, ତାକୁ ଭାରତ ରତ୍ନ ମିଳିଛି ବୋଲି ଆଡଭାନୀ କହିଛନ୍ତି।

ସେ କହିଛନ୍ତି, “ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ମୁଁ ଭାରତ ରତ୍ନକୁ ଗ୍ରହଣ କରୁଛନ୍ତି। ଏହା କେବଳ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ, ଏହା ଜୀବନ ବ୍ୟାପୀ ମୁଁ ଯେଉଁ ନୀତି ଓ ଆଦର୍ଶକୁ ଯଥା ସମ୍ଭବ ପାଳନ କରିବାକୁ ଚେଷ୍ଟା କରିଛି, ତା’ର ସମ୍ମାନ।”

ଭାରତ ରତ୍ନରେ ସମ୍ମାନୀତ କରାଯିବାକୁ ଥିବାରୁ ଆଡଭାନୀ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତାଙ୍କ ପରିବାର ସମସ୍ତ ସଦସ୍ୟ ଓ ବିଶେଷ କରି ଦିବଂଗତ ପତ୍ନୀ କମଳା ଆଡଭାନୀଙ୍କୁ ମଧ୍ୟ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି।

ଆଡଭାନୀ କହିଛନ୍ତି, “୧୪ ବର୍ଷ ବୟସରେ ଆରଏସଏସରେ ମୁଁ ଯେତେବେଳେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଲି ସେତେବେଳେ ମୁଁ ଦେଶ ପାଇଁ ସେବା କରିବାର ସୌଭାଗ୍ୟ କାମନା କରିଥିଲି। ମୋତେ ଜୀବନ ଯାହା ବି କାମ ଦେବ, ସେସବୁ କରିପାରିବି ବୋଲି ଚାହୁଁଥିଲି।

ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି।” ଆଡଭାନୀ ଦଳର ସମସ୍ତ କର୍ମୀ ଓ ସ୍ୱୟଂ ସେବକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସେୟାର କରନ୍ତୁ

Next Post

ଏକକ ନାଗରିକ ସଂହିତା ବିଲ୍‌ ବିଧାନସଭାରେ ପାସ୍‌

Wed Feb 7 , 2024
ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ବିଲ୍‌କୁ ପାରିତ କରିଛି। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ପାସ୍‌ ହୋଇଛି। ୟୁସିସିର ଅର୍ଥ ରାଜ୍ୟ ବା ଦେଶରେ ରହୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ଗୋଟିଏ ପ୍ରକାରର ଆଇନ ରହିବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟଗ୍ରହଣ ଆଦି ପାଇଁ ଗୋଟିଏ ପ୍ରକାରର ଆଇନ କାର୍ଯ୍ୟକାରୀ ହେବ। ବିଲ୍‌ ପାସ୍‌ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର […]

You May Like

Pin It on Pinterest