
ବାସ୍ତବ ବ୍ୟୁରୋ-ରାଜ୍ୟରେ ଗୋଟିଏ ଦିନରେ ୮ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ସକାଳେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୫ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ସୂଚନା ମିଳିଥିଲା । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ ଥବା ବେଳେ ୨ଜଣ ଯୁବତୀ ଓ ୨ ଜଣ ମହିଳା । ଯୁବକଙ୍କ ବୟସ ୨୭ ହୋଇଥିବା ବେଳେ ଯୁବତୀ ଦୁଇଜଣ ୨୨ ଓ ୨୩ ବର୍ଷୀୟ । ସେହିପରି ୨ ମହିଳାଙ୍କୁ ୨୯ ଓ ୫୫ ବର୍ଷ । ସମସ୍ତେ ହୋମ କ୍ୟାରେଣ୍ଟିନରେ ରହିଥିଲେ । ଆଜି ସଭିଙ୍କ ରିପୋର୍ଟ ଆସିବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

ଆଜି ଅପରାହ୍ନରେ ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଓ ବାଲେଶ୍ୱରରୁ ପୁଣି ୨ ଆକ୍ରାନ୍ତ ଚିହ୍ନଟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦକ୍ଷିଣ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ଯୁବ ସ୍ୱାସ୍ଥ୍ୟ କର୍ମୀଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେପଟେ ବାଲେଶ୍ୱରର ୩୨ ବର୍ଷୀୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ । ଉକ୍ତ ଯୁବକ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।
ଆଜି ସନ୍ଧ୍ୟାରେ ଆଉ ଜଣେ କରୋନା ଆକ୍ରାନ୍ତ ଯାଜପୁରର ବାସୁଦେବପୁର ଅଞ୍ଚଳରୁ ଚିହ୍ନଟ ହୋଇଥିଲେ । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଯାଜପୁରର ଏହି ନୂଆ ଆକ୍ରାନ୍ତ ଜଣକ ପୁରୁଷ ହୋଇଥିବାବେଳେ ସେ କୋଲକାତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏଥିସହ ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଯାଜପୁର ଏବେ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ କରୋନା ମାନଚିତ୍ରରେ ସ୍ଥାନୀତ ହୋଇଛି।
ଆଜି ଗୋଟିଏ ଦିନରେ ବାଲେଶ୍ୱରରେ ୬, ଯାଜପୁରରେ ଜଣେ ଓ କୋରାପୁଟରୁ ଜଣେ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟା ୧୧୧ରେ ପହଞ୍ଚିଲା । ରାଜ୍ୟରେ ମୋଟ ସକ୍ରିୟ ସଂଖ୍ୟା ୭୩ ରହିଥିବା ବେଳେ ଏଯାବତ ୩୭ ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । କିଛି ସମୟ ପୂର୍ବରୁ ଭୁବନେଶ୍ୱରର ଦୁଇ ଜଣ ସୁସ୍ଥ ହୋଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
