
ବାସ୍ତବ ବ୍ୟୁରୋ: ଆଜି ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳଙ୍କ ଉପସ୍ଥିତିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଚଣ୍ଡିଖୋଲରେ ଆୟୋଜିତ ଭବ୍ୟ ସଭାରେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଛି। ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ପ୍ରକଳ୍ପ ଯୋଗୁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀ ଆହୁରି କହିଛନ୍ତି, “ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା। ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ। ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ। ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ। ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ ବୋଲି କହିଛନ୍ତି।”
ଜନସଭାରେ ଜନତାଙ୍କୁ ଉଦବୋଧନ ଦେବା ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲାଲୁଙ୍କ ପରିବାରବାଦ ବୟାନ ଉପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, “ମୋର ପରିବାର ନାହିଁ, ଦେଶ ମୋର ପରିବାର । ତେଣୁ ହଟେଇଦେବାକୁ ଚାହୁଛନ୍ତି ବିରୋଧୀ । ହେଲେ ତାଙ୍କ ପାଇଁ ପରିବାର ନୁହେଁ ଦେଶର ବିକାଶ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ କହି ବିରୋଧୀ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କୋଇଲା ଦୁର୍ନୀତି, ୨ଜି ସ୍କାମ, ଭଳି କଥାକୁ ଉଜଗାର କରି ବିରୋଧୀଙ୍କୁ ଘେରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ମୋଦୀଙ୍କ ଦମ୍ଭୋକ୍ତି ବିକଶିତ ଭାରତର ପ୍ରବେଶପଥ ହେବ ଓଡିଶା । ଆଗକୁ ବଦଳିବ ଓଡିଶା ଯୁବକଙ୍କ ଭାଗ୍ୟ ।”