
ଆଦିତ୍ଯ ବେହେରା(ଭୁବନେଶ୍ୱର): ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି,ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ। ଏଭଳି ଏକ ରାଜ୍ୟ, ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଆଗାମୀ କିଛିମାସ ମଧ୍ୟରେ ଓଡ଼ିଶାର ଲୋକ ଏହି ଦେଶର ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ମୋତେ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି, ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶା ଆରମ୍ଭ କରିବୁ, ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ। ମୁଖ୍ୟତଃ ଆମର ଯୁବବର୍ଗ, ମହିଳା ଓ ଶିଶୁ, ଉଦ୍ୟୋଗୀ, ଚାଷୀ ଓ ଆଦିବାସୀଙ୍କ ପାଇଁ ହେବ। ଆମେ ସୁରକ୍ଷିତ ମୂଳଦୁଆ ଓ ଶକ୍ତିଶାଳୀ ଡେଣାବିଶିଷ୍ଟ ଓଡ଼ିଶା ଆରମ୍ଭ କରିବୁ। ଆପଣମାନଙ୍କ ଆଶୀର୍ବାଦରେ ରଥ ଆଗକୁ ବଢ଼ିବ। ପଞ୍ଚମ ପାଳି ଶାସନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୯ ମେ’ ୨୯ ନିର୍ବାଚନରେ ପ୍ରଥମ କ୍ୟାବିନେଟରେ ଦଳର ନିର୍ବାଚନ ଇସ୍ତାହାରକୁ ପ୍ରାଥମିକତା ଭିତ୍ତିରେ ଅନୁମୋଦନ କରାଯାଇଥିଲା। ବାରମ୍ବାର ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଲେ ଓଡ଼ିଶା ମହାବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ଏକ ଗରିବ, ଅନୁନ୍ନତ ରାଜ୍ୟ ଭାବେ ପରିଗଣିତ ହୋଇଥିଲା। ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ମଡେଲର ଉଦାହରଣ ଦିଆଯାଉଛି। ଗତ ୫ ବର୍ଷ ୫-ଟି ସିଦ୍ଧାନ୍ତ ଆଧାରିତ ରହିଛି। ଇତିହାସରେ ଏହି ଅବଧିକୁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣ କରାଯିବ, ଯାହାକି ଓଡ଼ିଶାକୁ ରୂପାନ୍ତରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି।



