ବାସ୍ତବ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଘୋଷଣା କଲେ ସରକାର। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟଗୁଡ଼ିକରେ ଆଗାମୀ ଏପ୍ରିଲ ୨ ତାରିଖ ଠାରୁ ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ପାଠପଢ଼ା ହେବ। ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ନେଇ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ।



