
ବୋଲମାନୁନି ଅପରାଜିତାଙ୍କ ତୁଣ୍ଡ
ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମ୍ବିତୋଫାନ।
ପ୍ରଶାନ୍ତ ଜଗଦେବ ଓ କାଳୁ ଖଣ୍ଡାୟତରାୟଙ୍କ ମଧ୍ଯରେ ଦୋନ୍ଦ।
ଆଦିତ୍ଯ ବେହେରା(ଭୁବନେଶ୍ବର): ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ। ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ।
ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ। ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏକ ସ୍ଥାନରେ ଦଳିୟ ସଭାରେ, ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ହେବେବୋଲି ସାଂସଦ ଅପରାଜିତା ଘୋଷଣା କରିଥିଲେ । ଏହାର ଏକ ଭିଡିଓ ଭାଇରାଲ ହେବା ପରେ କାଳୁ ଖଣ୍ଡାୟତରାୟ କର୍ମି ଉତ୍ୟେକ୍ତ ହୋଇ ଉଠିଥିଲେ। ସେମାନେ ପ୍ରଥମେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କରିବା ପରେ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଗଣ୍ଡଗୋଳ କରିଥିଲେ।
ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ ଲଢେଇ କରିବେ। ମୁଁ ଯେତେବେଳେ ଦଳରେ ସାମିଲି ହେଲି ସେତେବେଳେ କୌଣସି ସର୍ତ୍ତ ରଖି ନାହିଁ। ଦଳରେ ଯୋଗଦେବା ପୂର୍ବରୁ କାଳୁଭାଇଙ୍କ ସହିତ କଥା ହୋଇଥିଲି। ସେ ମୋତେ ଆଣି ଦଳରେ ମିଶାଇଛନ୍ତି। ସେ ନିର୍ବାଚନ ଲଢନ୍ତୁ,ମୁଁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ। ଏହି ହାଙ୍ଗାମା ବେଳେ ଖୋଦ କାଳୁ ଖଣ୍ଡାୟତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଦାବୀ କରିଥିଲେ ଯେ, ମୁଁ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧାରେ ସଂଗଠନକୁ ମଜବୁତ କରି ରଖିଛି। ସବୁ ବୁଥରେ କର୍ମି ତିଆରି କରିଛି। ଏତେ ବର୍ଷ ଧରି ପରିଶ୍ରମ କରିବା ପରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହେବେ ବୋଲି କାହିଁକି କୁହାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବହୁ ବୁଝାବୁଝି ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମିମାନେ ଥଣ୍ଡା ପଡିଥିବା ନେଇ ଆମ ପ୍ରତିନିଧି ସୁଚନା ଦେଇ ଛନ୍ତି ।



