ବାସ୍ତବ ବ୍ୟୁରୋ-ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଙ୍ଗ୍ ଜରିଆରେ ବିଭିନ୍ନ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ସେ ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଫେରନ୍ତା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତୁ ସେନେଇ ଦୃଷ୍ଟି ଦେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ସେମାନଙ୍କର ରାସନ କାର୍ଡ ଥାଉ କି ନଥାଉ ରାସନ ପାଇବାରୁ କେହିବି ବଞ୍ଚିତ ହେବେନି । ଏହାସହ ସେ କହିଛନ୍ତି ଯେ କୋଭିଡ଼ ୧୯ ନିୟନ୍ତ୍ରଣ ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ନୁହେଁ ବରଂ ଏହା ମୁଖ୍ୟ ଦାୟିତ୍ୱ । ଆଗାମୀ ୮-୧୦ଦିନର ଦୃଶ୍ୟପଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବରିଷ୍ଠ ଅଧିକାରୀଙ୍କୁ ମନ୍ତ୍ର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ୍-୧୯ ନିୟନ୍ତ୍ରଣ ଦାୟିତ୍ୱ ହିଁ ହେଉଛି ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ୱ । ବିପର୍ଯ୍ୟୟ ସମୟରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପଡିବ । ସେହିପରି ଆଗାମୀ ୮-୧୦ ଦିନର ଦୃଶ୍ୟପଟ୍ଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଗ୍ରାମପଞ୍ଚାୟତସ୍ତରରେ ଏଥିପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ବିକାଶ ଉପରେ ଗୁରୁତ୍ୱଆରୋପ କରିଥିଲେ । ଓଡ଼ିଶା ଫେରିକାବୁ ଥିବା ଶ୍ରମିକ ମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ତଥା ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦିଆଯିବ ।
