ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ରୋଡ ଶୋ’ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି ପାର୍ଟି ଅଫିସରୁ ଏହି ରୋଡ୍ ଶୋ’ ବାହାରିବାର କାର୍ଯ୍ୟକ୍ରମ ରହିଛି। ଏହା ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ଜନପଥରେ (ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ) ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ।
ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ । ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସଂଯୋଗ ଗଳି ରାସ୍ତା ବନ୍ଦ ରହିବ । ସେହିପରି ଅପରାହ୍ନ ୪ଟାରୁ ରୋଡ୍ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ବନ୍ଦ ରହିବ।
ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ । ଡ୍ରୋନ ଉଡ଼ାଇବା ଉପରେ ମଧ୍ୟ ରହିବ କଟକଣା । ଅକ୍ଷୟ ତୃତୀୟ ପାଇଁ ସମୟ ପୂର୍ବରୁ କାମ ସାରିବାକୁ ପରାମର୍ଶ ।
ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୮ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନପଥ ସ୍ଥିତ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ରାତି ସାଢ଼େ ୮ଟାରୁ ସେ ରୋଡ୍ ଶୋ’ ଆରମ୍ଭ କରିବେ। ଏହା ରାତି ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ ଓ ବାଣୀବିହାର ଛକରେ ଶେଷ ହେବ। ମୋଦିଙ୍କ ରୋଡ୍ ଶୋ’ରେ ଦେଖିବାକୁ ମିଳିବ ଓଡ଼ିଆ କଳା ଓ ସଂସ୍କୃତିର ଝଲକ। ବିଜେପି କାର୍ଯ୍ୟାଳୟରୁ ବାଣୀ ବିହାର ମଧ୍ୟରେ ୧୦ଟି ସ୍ଥାନରେ ରହିବ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ। ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ୱାଗତ କରାଯିବା ସହିତ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ।
ଏହା ପରଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସଂଜୀବ ପଣ୍ଡା । ମୋଦୀଙ୍କ ରୋଡ ସୋ’ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ହେଉଛି ।