ପରପାରିରେ ବିଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ

ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା।

ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ ଗଞ୍ଜାମ ଜିଲ୍ଲା ଖୁକୁଣ୍ଡିଆରେ ଜନ୍ମ ଗ୍ରହଣ କରିଥିଲେ ।ପାଠପଢ଼ା ଶେଷ ହେବାପରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଅଭିନୟ ଦୁନିଆ ସହ ତାଙ୍କ ସମ୍ପର୍କ ନିବିଡ଼ ହୋଇଥିଲା।ଚାକିରି କରୁଥିଲେ ମଧ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅଭିନୟ ବିଭାଗରେ ସେ ଡିପ୍ଲୋମା କରିଥିଲେ । ଏଥିସହ ଚଳଚ୍ଚିତ୍ର, ଧାରାବାହିକ ଓ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା ଓ ଜଣେ ଭଲ ଅଭିନେତା ଭାବେ ଅବିଳମ୍ବେ ତାଙ୍କର ଏକ ପରିଚୟ ତିଆରି ହୋଇ ଯାଇଥିଲା। ମୁଖ୍ୟତଃ ଚରିତ୍ର ଅଭିନେତା ଓ ହାସ୍ୟ ଅଭିନେତା ଭାବେ ସିନେମା ଦୁନିଆରେ ସେ ପରିଚିତ ଥିଲେ ।

‘ଛବିର ମଣିଷ’, ‘ରଣଭୂମି’, ‘ଅଗ୍ନି ସଙ୍କେତ’, ‘ଲଭ୍ ଷ୍ଟେସନ’, ‘ଝିଅଟା ବିଗିଡ଼ିଗଲା’, ‘ବନ୍ଦେ ଉତ୍କଳ ଜନନୀ’, ‘ସନ୍ଦେହୀ ପ୍ରିୟତମା’, ‘ଫ୍ୟାମିଲି ନମ୍ବର ୱାନ୍’ ଭଳି ଅନେକ ସିନେମାରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଛି। ଏଥିସହ ‘ମଶାଲ’, ‘ଜୁଆର ଭଟ୍ଟା’, ‘ସୁନାବୋହୂ’ ପରି ୫୦ରୁ ଅଧିକ ଟେଲିଭିଜନ୍ ଧାରାବାହିକରେ ମଧ୍ୟ ନିଜ ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି I ସିନେମା ଓ ଧାରାବାହିକ ସହ ସେ ମଞ୍ଚ ଅଭିନୟ ପାଇଁ ମଧ୍ୟ ବହୁ ପ୍ରଶଂସା ସାଉଁଟିଛନ୍ତି ।

ଶତାବ୍ଦୀର କଳାକାର, ଏବଂ ଆମେ, ମନନ, ପଞ୍ଚମବେଦ ଭଳି ଅନେକ ପ୍ରତିଷ୍ଠିତ ନାଟ୍ୟସଂସ୍ଥାରେ ସେ ମଞ୍ଚ ନାଟକରେ ଅଭିନୟ କରିଛନ୍ତି | ଅଭିନୟ ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଆହୁରି ଅନେକ ସମ୍ମାନ ଓ ପୁରସ୍କାରର ସେ ଅଧିକାରୀ ହୋଇ ପାରିଥିଲେ ।

ଗତକାଲି ପୂର୍ବାହ୍ନ ୧୧ଟାରେ ସ୍ଵର୍ଗତ ପଟ୍ଟନାୟକଙ୍କର ପାର୍ଥିବ ଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରକୁ ଅଣାଯାଇଥିଲା।ସେଠାରେ ମହାବିଦ୍ୟାଳୟର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ମରଶରୀରକୁ ରବୀନ୍ଦ୍ର ମଣ୍ଡପକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ମଞ୍ଚ, ଚଳଚିତ୍ର, ତଥା ଧାରାବାହିକ କଳାକାର, ନାଟ୍ୟକାର ଓ ନିର୍ଦେଶକ ତାଙ୍କର ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି ।

ସେୟାର କରନ୍ତୁ

Next Post

୨୫ ତାରିଖରେ ବାତ୍ୟା ଓ ୨୬ ତାରିଖ ବେଳକୁ ନେଇପାରେ ଭୀଷଣ ବାତ୍ୟାର ରୂପ ।

Thu May 23 , 2024
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ ।୨୫ସୁଦ୍ଧା ବାତ୍ୟା ଓ ୨୬ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୫ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପରେ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଙ୍ଗଲାଦେଶ ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ […]

You May Like

Pin It on Pinterest