ବାସ୍ତବ ବ୍ୟୁରୋ: ଆଜି ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ରାଜ୍ୟ ସରକାର ଓ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି । ମଞ୍ଚ ଉପରୁ ରତ୍ନଭଣ୍ଡାର ଚାବିଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା କଥା ଉଠାଇଛନ୍ତି ମୋଦୀ ।
ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସଂସଦୀୟ କ୍ଷେତ୍ରରେ ପ୍ରଚାର କରି ବିଜେପି ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ବିଜେଡିର ୨୫ବର୍ଷର ଶାସନରେ ରୋକ୍ ଲଗାଇବାକୁ ଓଡିଶାବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ ଅସ୍ମିତାର କଥା କହି, ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଓଡ଼ିଶାରେ ପ୍ରଚୁର ପରିମାଣରେ ପାଣି ଅଛି। କିନ୍ତୁ ଚାଷୀଙ୍କ ଜମିକୁ ଏହି ପାଣି ପହଞ୍ଚିପାରୁ ନାହିଁ। ଓଡ଼ିଶାର ସବୁ ଲୋକଙ୍କୁ ଟ୍ୟାପ୍ରୁ ପାଣି ମିଳୁନାହିଁ। ତେଣୁ ଓଡ଼ିଶାର ଜନତା ଏଥର ନିଷ୍ପତ୍ତି ନେଇଛନ୍ତି, ଗୋଟିଏ ପଦ୍ମ ଦିଲ୍ଲୀ ପାଇଁ ଓ ଆଉ ଗୋଟିଏ ଭୁବନେଶ୍ବର। ଓଡ଼ିଶାରେ ଦୁଇଥର ପଦ୍ମ, ଦୁଇଗୁଣା ବିକାଶ। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି, “ଓଡ଼ିଶାର ରାଜନୀତିରେ ମଧ୍ୟ ଏଥର ନୂଆ ଦେଖିବାକୁ ମିଳିବ। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାର ମତଦାତା ପ୍ରତ୍ୟେକ ପର୍ଯ୍ୟାୟରେ ବିଜେପି ସାଂସଦ ଓ ବିଧାୟକଙ୍କ ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି। ଦାଦନ ଶାସନ ହଟାଇବା ପାଇଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଲୋକେ ମତଦାନ କରିଛନ୍ତି। ଭ୍ରଷ୍ଟାଚାର ହଟାଇବା ପାଇଁ, ରତ୍ନଭଣ୍ଡାରକୁ ନେଇ ଯେଉଁ ଆଶଙ୍କା ରହିଛି, ତାକୁ ହଟାଇବା ପାଇଁ ମତଦାନ କରିଛନ୍ତି। ବିଜେପି ଆସିବ ଓ ମହାପ୍ରଭୁଙ୍କ ୪ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ। ଓଡ଼ିଶାର ବିକାଶ ମୋର ଗ୍ୟାରେଣ୍ଟି।”
ବିଜେପି ସରକାର କେମିତି ନାରୀ ସଶକ୍ତିକରଣ, ଆଦିବାସୀ, ଗରିବଙ୍କ ପାଇଁ କାମ କରୁଛି ତାର ଉଦାହରଣ ରଖିଛନ୍ତି । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଜେପି ସରକାର ଆସିଲେ ବିଜୁଳି ବିଲ ଶୂନ ହେବ ବୋଲି ମଂଚ ଉପରୁ କହିଛନ୍ତି । ଶେଷରେ ଲୁଟ୍ ହୋଇଥିବା ଟଙ୍କା ଗୋଟି ଗୋଟି ଆଦାୟ ହେବ ବୋଲି ଗ୍ୟାରେଂଟି ଦେଇଛନ୍ତି ମୋଦୀ । ମୋଦୀଙ୍କ ମାରାଥନ ପ୍ରଚାର ଓଡିଶାର ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି । ଏଥିସହ ଓଡିଶାରେ ଶେଷ ହୋଇଛି ଚଳିତ ନିର୍ବାଚନ ପାଇଁ ମୋଦୀଙ୍କ ପ୍ରଚାର ।



