ବାସ୍ତବ ବ୍ୟୁରୋ: ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ଆଜି ସକାଳେ ଖୋଲିଛି ଶ୍ରୀମନ୍ଦିରର ୪ ଦ୍ୱାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର।
୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ।
ସୂଚନାଯୋଗ୍ୟ, କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଥିଲା। ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ୱାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ। କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ କରିଥିଲେ ପୂର୍ବତନ ରାଜ୍ୟ ସରକାର। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର। ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି ପୂର୍ବତନ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ୪ ଦ୍ୱାର ପ୍ରବେଶ ବନ୍ଦ ରଖିଥିଲେ। ୨୦୨୪ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲି ନଥିଲା ସବୁ ଦ୍ୱାର।