
ବାସ୍ତବ ବ୍ୟୁରୋ: ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ମାନସ ମନ୍ଥନ କରାଯାଇଥିଲା। ବିଜେପି ବିଧାୟକ ଦଳ ବୈଠକରେ ସୁରମା ପାଢ଼ୀଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା।

ସୂଚନାନୁଯାୟୀ, ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ନିର୍ଦ୍ଧାରିତ ସମୟ ଦିନ ୧୨ଟା ସୁଦ୍ଧା ସୁରମା ପାଢ଼ୀଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ ବୋଲି ଜଣାଯାଇଛି।