ବାସ୍ତବ ବ୍ୟୁରୋ: ଓଡ଼ିଶାର ସପ୍ତଦଶ ବିଧାନସଭାରେ ପୁଣି ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ସର୍ବସମ୍ମତି କ୍ରମେ ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଥିଲେ।
କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସୁରମା ପାଢ଼ୀ କହିଛନ୍ତି, “ମୁଁ ଗୃହର ଗାରିମା ରକ୍ଷା କରିବି। ନିରପେକ୍ଷତା ଅବଲମ୍ବନ କରିବି।”
ନୂଆ ବାଚସ୍ପତିଙ୍କୁ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, “ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।” ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ଓ ସିପିଏମ୍ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।