ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ହେଲେ ଓଡ଼ିଶା ବିଧାନସଭାର ଦ୍ୱିତୀୟ ମହିଳା ବାଚସ୍ପତି….

ଭୁବନେଶ୍ୱର ୨୦/୦୬ (ଗୌତମ ମିଶ୍ର ):ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି।ବିଧାନସଭାରେ ନୂଆ ବାଚସ୍ପତି ହୋଇଛନ୍ତି ଜଣେ ମହିଳା ବିଧାୟିକା। ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ। ଏହାପରେ ସୁରମା ପାଢ଼ୀ ବାଚସ୍ପତି ଭାବେ ଗୃହ ପରିଚାଳନା କରିଛନ୍ତି।ପୂର୍ବତନ ମନ୍ତ୍ରୀ ତଥା ୨ ଥରର ବିଧାୟିକା ସୁରମା ପାଢୀ ଏବେ ଓଡିଶା ବିଧାନସଭାର ବାଚସ୍ପତି।

୧୯୬୦ ଡିସେମ୍ବର ୨୯ରେ ଗଞ୍ଜାମ ଜିଲ୍ଲା କନିସି ଅଞ୍ଚଳର ଶିହଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରମା ପାଢୀ। ଶିହଳା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ସେ ଭୁବନେଶ୍ୱର ୟୁନିଟ୍-୬ରେ ଏକାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୨ରେ ରେଭେନ୍ସା କଲେଜରୁ ହୋମ୍ ସାଇନ୍ସ ପିଜି ପଢ଼ିଥିବା ବେଳେ ବାଣୀବିହାରରୁ ଏଲ୍ ଏଲବିପାସ୍ କରିଥିଲେ। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟା ଭାବେ ସେ ନିଜକୁ ସାମିଲ କରିଥିଲେ। ବ୍ରହ୍ମପୁର ପ୍ରେମନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ସୁରମା। ସୁରମାଙ୍କ ବାପା ହରିଶ୍ଚନ୍ଦ୍ର ପାଢ଼ୀ ଓ ମାଆ ଉର୍ମିଳା ପାଢ଼ୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇ ଅଛନ୍ତି।

୨୦୦୩ ଜାନୁଆରୀ ୨ରେ ରଣପୁର ରାଜନୀତିରେ ପାଦ ଥାପିଥିଲେ ସୁରମା ପାଢୀ। ୨୦୦୦ ରୁ ୨୦୦୨ ଯାଏଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ ସୁରମା। ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରହିବା ସହ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ଥିଲେ ସମବାୟ ରାଷ୍ଟ୍ରମନ୍ତ୍ରୀ। ରଣପୁର ବିଧାନସଭା ଆସନରୁ ସେ ୨ୟ ଥର ପାଇଁ ବିଧାନସଭାକୁ ହୋଇଛନ୍ତି ନିର୍ବାଚିତ।

ଶ୍ରୀମତୀ ପାଢ଼ୀ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବ ନିର୍ବାଚିତ ବାଚସ୍ପତି ଙ୍କୁ କହିଛନ୍ତି ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ । ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବାକରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ । ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା ।ପରିଶେଷରେ, ମୁଁ ଏ ଗୃହର ମାନ୍ୟବର ସଦସ୍ୟା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୋର ପ୍ରିୟ ଓଡିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ।
ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ କହିଛନ୍ତି ମୁଁ ଏହି ପଦରେ ବସିବି ବୋଲି କେବେ କଳ୍ପନା କରି ନ ଥିଲି। ମୁଁ ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବି।ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି। ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି କହିଛନ୍ତି ନୂଆ ବାଚସ୍ପତି।
ଗତକାଲି ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା ପାଢ଼ୀ।। ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ। ଏଥିପାଇଁ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

୨୦୨୪ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ସୁରମା ପାଢ଼ୀ। ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଏଥିସହ ସୁରମା ୨୦୦୪ ରୁ ୨୦୦୯ ଯାଏ ବିଧାୟିକା ଥିଲେ।ସୁରମା ପାଢ଼ୀ ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କଂଗ୍ରେସ ଓ ସିପିଏମ୍ ବିଧାୟକ ଦଳ ସଦସ୍ୟ,ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଓଡିଶା ବିଧାନସଭା ର ଶ୍ରୀମତୀ ପାଢ଼ୀ ହେଲେ ଦ୍ଵିତୀୟ ମହିଳା ବାଚସ୍ପତି। ପ୍ରଥମ ମହିଳା ବାଚସ୍ପତି ଥିଲେ ପ୍ରମିଳା ମଲ୍ଲିକ।

ସେୟାର କରନ୍ତୁ

Next Post

ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଜନ ଅସନ୍ତୋଷ ଗୋଡ଼ଭଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଅଫିସ୍ ଘେରିଲେ ଜନତା...

Fri Jun 21 , 2024
ବରଗଡ:-୨୧.୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବିଦ୍ୟୁତ୍ ବିଭାଗ ଅଧୀନସ୍ଥ ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ବାମ କଡ ଫାଣ୍ଡି ପରେ ରହିଥିବା ବିଦ୍ୟୁତ୍ ବିଭାଗ ଟାଟା ପାୱାର ର ମନ୍ ମାନୀ ଓ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଗୋଡଭଗା ଟାଟା ପାୱାର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ କୁ ଲୋକେ ଘେରିଲେ। ଅଞ୍ଚଳରେ ଖରାତାତି ସହ ଗୁଲୁଗୁଳି ରେ ଜନ ଜୀବନ ଅସ୍ତବ୍ୟସ୍ତ […]

You May Like

Pin It on Pinterest