
ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ):ବିଜେଡି ସରକାର ସାଧାରଣ ନିର୍ବାଚନକୁ ଆଖିରେ ରଖି, ନିଜର ସ୍ତୃତିଗାନ ପାଇଁ ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ କିଛି ଆଖିବୁଜା ଲୁଟିଛନ୍ତି। ରାଜ୍ୟ ରେ ବିଜ୍ଞାପନ ନୀତି ଥାଇ ମଧ୍ୟ ଲୋକଙ୍କ ଟଙ୍କାକୁ ଲୁଟ୍ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କିଭଳି ନୂଆ କୌଶଳ ଆପଣାଇଥିଲା ସେନେଇ ତଥ୍ୟ ନିର୍ଦ୍ଧିଷ୍ଟ ସୂତ୍ରରୁ ହସ୍ତ ଗତ ହୋଇଛି ।
ବିଜ୍ଞାପନ ନୀତିରେ ସ୍ୱଚ୍ଛତା ଓ ପାରଦର୍ଶିତା ରଖିନଥିବା ରାଜ୍ୟ ସରକାର କେବଳ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୨୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ ‘ଆଡଭଟୋରିଆଲ’ ବା ‘ପେଡ୍ ନ୍ୟୁଜ୍’ କିଛି ନିର୍ଦ୍ଦିଷ୍ଟ ଓଡ଼ିଆ ସମ୍ବାଦପତ୍ରକୁ ଦେଇଛନ୍ତି । ଯେଉଁଥିରେ ବିଜେଡି ପ୍ରାୟୋଜିତ ସମ୍ବାଦପତ୍ର ସର୍ବାଧିକ ଫାଇଦା ନେଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିୟମିତ ବିଜ୍ଞାପନକୁ ବାଦ୍ ଦେଇ ଆଗଧାଡ଼ିର ୫-୬ଟି ନିର୍ଦ୍ଦିଷ୍ଟ ସମ୍ବାଦପତ୍ରକୁ ବିଜେଡି ସରକାର ପୃଷ୍ଠା-ପୃଷ୍ଠାର ସ୍ତୃତିଗାନ ପାଇଁ ଅତିରିକ୍ତ ପୁରସ୍କାର ଭାବେ ‘ଆଡଭଟୋରିଆଲ’ ଆକାରରେ କୋଟି କୋଟି ଟଙ୍କା ବାଂଟିଛନ୍ତି । ଆଉ ଏସବୁ ବିଜେଡିର ମିଡିଆ ଦାୟିତ୍ୱରେ ଥିବା ସାଂସଦ ମାନସ ମଙ୍ଗରାଜ ଙ୍କ ପ୍ରତ୍ୟକ୍ଷ ଇସାରାରେ ହେଉଥିଲା ବୋଲି ଚର୍ଚ୍ଚା ଏବେ ଯୋର ଧରିଛି ।
ହସ୍ତଗତ ସୂଚନା ଅନୁସାରେ, ରାଜ୍ୟର ବିଜେଡି ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜକୋଷ ଅର୍ଥରେ ନିଜର ପ୍ରଚାର କରିବାର ନୂଆ ଫନ୍ଦି ବାହାର କରିଥିଲେ । ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥାଇ ନିଜସ୍ୱ ବିଜ୍ଞାପନ ନୀତି ଆଣିବାରେ ସକ୍ଷମ ହୋଇନଥିବା ବିଜେଡି ସରକାର କିନ୍ତୁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନୀ ଫାଇଦା ପାଇଁ ନିଜର ପ୍ରଚାର କରିବାର କୌଣସି ସୁଯୋଗକୁ ହାତଛଡ଼ା କରୁନଥିଲା । ବିଜେଡି ପ୍ରାୟୋଜିତ ଏକ ସମ୍ବାଦପତ୍ରକୁ ଅଧିକ ଅନୁଗ୍ରହ ଦେଖାଇବା ପାଇଁ ଆଇନକୁ ଫୁ କରି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକ ସରୋଜ କୁମାର ସାମଲ ‘ଆଡଭଟୋରିଆଲ’ ଭଳି ଏକ ଉଦ୍ଭଟ ଚିନ୍ତାଧାରାକୁ ଜନ୍ମ ଦେଇଥିଲେ ।
ଯଦିଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବିଜ୍ଞାପନ ବା ‘ଆଡଭଟାଇଜମେଣ୍ଟ ’ ଦେବା ପାଇଁ ରାଜ୍ୟ ସରକାର ଚିରାଚରିତ ଢଙ୍ଗରେ ‘ଡିଏଭିପି’ ସଂସ୍ଥା ନିର୍ଦ୍ଧାରିତ ବିଜ୍ଞାପନ ଦରକୁ ବିଚାରକୁ ନେଇଥାନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଚଳିତବର୍ଷ ଜାନୁୟାରୀ ସୁଦ୍ଧା ରାଜ୍ୟରେ ମୋଟ ୧୪ଟି ବୃହତ୍ ଦୈନିକ ଓଡ଼ିଆ ସମ୍ବାଦପତ୍ର ରହିଛି । ଯେଉଁଥିରେ ବିଜେଡି ପ୍ରାୟୋଜିତ ଦୈନିକ ସମ୍ବାଦପତ୍ର ମଧ୍ୟ ରହିଛି । ବିଜେଡି ପ୍ରାୟୋଜିତ ଏହି ସମ୍ବାଦପତ୍ରକୁ କିଭଳି କୋଟିକୋଟି ଟଙ୍କା ଦେଇହେବ ସେ ନେଇ ‘ଆଡଭଟୋରିଆଲ’ ଭଳି ଏକ ନୂଆ ଫନ୍ଦିକୁ ରାଜ୍ୟ ସରକାର ବିକଶିତ କରିଥିଲେ । ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀବେଳେ ରାଜ୍ୟର ହାତଗଣତି ୩-୪ଟି ସମ୍ବାଦପତ୍ରଗୁଡ଼ିକରେ ସରକାରଙ୍କୁ ସୁହାଇବା ଓ ସ୍ତୃତିଗାନ କରିବା ପାଇଁ ଯେଉଁ ପୃଷ୍ଠାପୃଷ୍ଠା ଲେଖା(ପେଡନ୍ୟୁଜ) ପ୍ରକାଶ ପାଉଥିଲା ସେଥିପାଇଁ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମୋଟାଅଙ୍କର ଟଙ୍କା ଦିଆଯାଉଥିଲା । ବିଜ୍ଞାପନକୁ ବାଦ୍ ଦେଇ ସମ୍ବାଦପତ୍ରଗୁଡ଼ିକ ଏହି ଲେଖା ପ୍ରକାଶ କରୁଥିଲେ ଓ ସେଥିପାଇଁ ସେମାନେ ପାଉଥିବା ବିଜ୍ଞାପନ ଦରଠୁ ବି ଚଢ଼ାଦରରେ ଅର୍ଥ ଦିଆଯାଉଥିଲା ।
ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ ଦ୍ୱାରା ସ୍ଥିରୀକୃତ ପ୍ରଥମ ୧୧ଟି ଦୈନିକ ସମ୍ବାଦପତ୍ରକୁ ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ମୋଟ ୧୪୬.୫୧କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି । ଏଥିରେ ବିଜେଡି ପ୍ରାୟୋଜିତ ସମ୍ବାଦପତ୍ର ବୃହତ୍ ସମ୍ବାଦପତ୍ର ତାଲିକାର ୯ ନମ୍ବରରେ ରହିଥିଲେ ମଧ୍ୟ ତାକୁ ଏହି ଅବଧି ମଧ୍ୟରେ ୧୦.୫୪କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଛି । ତେବେ ସମ୍ବାଦପତ୍ରଗୁଡ଼ିକୁ ଦିଆଯାଇଥିବା ଏହି ବିଜ୍ଞାପନ ମଧ୍ୟରେ ‘ଆଡଭଟୋରିଆଲ’ ବାବଦ ଟଙ୍କା ସାମିଲ ନାହିଁ । ଏହି ଆଡଭଟୋରିଆଲ କେବଳ ହାତଗଣତି ୪-୫ଟି ସମ୍ବାଦପତ୍ରକୁ ଦିଆଯାଇଥିଲା । ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଏବାବଦରେ ମୋଟ ପ୍ରାୟ ୨୫କୋଟି ଟଙ୍କା ବଂଟାଯାଇଛି । ଯାହାର ସବୁଠୁ ବଡ଼ ହିତାଧିକାରୀ ହେଉଛି ବିଜେଡି ପ୍ରାୟୋଜିତ ସମ୍ବାଦପତ୍ର ବୋଲି ଜଣାପଡ଼ିଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ‘ଆଡଭଟୋରିଆଲ’ ଭଳି ବିକୃତ ଚିନ୍ତାଧାରାକୁ କାହିଁକି ଜନ୍ମ ଦେଲା ଏବଂ ଲୋକଙ୍କ ଟିକସ ଟଙ୍କାକୁ ଏଭଳି ଲୁଟ୍ ପାଇଁ ଆଇନଗତ ସ୍ୱୀକୃତି ଦେବା ପଛରେ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କର କେଉଁ ଉଦ୍ଦେଶ୍ୟ ସାଧିତ ହୋଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
୨୦୨୩ ଜୁଲାଇ ୧୧ତାରିଖରେ ନିର୍ଦ୍ଦେଶକ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ‘ଆଡଟୋରିଆଲ’ ଭଳି ଏକ ଉଦ୍ଭଟ ଚିନ୍ତାଧାରା(ପେଡନ୍ୟୁଜ)କୁ ସରକାରୀ ମାନ୍ୟତା ଦିଆଯାଇଥିଲା । ଆଉ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସିଂ ୨୦୨୩ ଅଗଷ୍ଟ ୨ତାରିଖରେ ଏହି ଆଡଭଟୋରିଆଲକୁ ନେଇ ଆନୁଷ୍ଠାନିକ ସରକାରୀ ବିଜ୍ଞପ୍ତି ଜାରି କରିଥିଲେ ।
ବିଜେଡି ସରକାରରେ ମନଇଚ୍ଛା ବିଜ୍ଞାପନ ଦେବା ନାଁରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟ୍ କରିଥିବା ଏହି ପ୍ରଶାସନିକ ଅଧିକାରୀ ଓ ସେମାନଙ୍କର ଗଡ଼ଫାଦରମାନଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସୂଚନା ଓ ଲୋକସମ୍ପର୍କ ବିଭାଗରେ କୋଟିକୋଟି ଟଙ୍କାର ବିଜ୍ଞାପନ କେଳେଙ୍କାରୀର ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ଓ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନା ଯୋଗ୍ୟ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିରେ ସ୍ୱଚ୍ଛତା ଓ ପାରଦର୍ଶିତା ନଥିବାରୁ ବିଭିନ୍ନ ସମୟରେ ବିଜେଡି ସରକାର ପ୍ରତିହିଂସାପରାୟଣ ହୋଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ବର୍ଷବର୍ଷ ଧରି ବିଜ୍ଞାପନ ବନ୍ଦ କରିଦେବାର ନଜିର ମଧ୍ୟ ରହିଛି । ଏହି ବିଜ୍ଞାପନ କେଳେଙ୍କାରୀରେ ସବୁଠୁ ଅଧିକ ଲାଭବାନ ବିଜେଡିର ଜଣେ ନେତା ହୋଇଥିବା ମଧ୍ୟ ଜଣାପଡ଼ିଛି ।
ବର୍ତମାନ ସରକାର ବଦଳିଛି ମୋହନ ସରକାର (ବିଜେପି) ଶାସନ ରେ ପୁଣି ଗୁରୁତ୍ୱପୂର୍ଣ୍ଣ କଥା, ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ହାତ ରେ ଏହି ସୂଚନା ଲୋକସମ୍ପର୍କ ବିଭାଗ। ଆଗକୁ ଦେଖିବାକୁ ଅଛି ନୂଆ କରି ଶାସନ କୁ ଆସିଥିବା ମୋହନ ସରକାର ଏହି କେଳେଙ୍କାରୀର ମୂଳ କିପରି ଖୋଜି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।