କଂଗ୍ରେସ ବିରୋଧୀ ଷଡ଼ଯନ୍ତ୍ର ନା ଦଳ ଭିତରୁ ଶରତଙ୍କ ପାଇଁ ଆକ୍ରୋଶ ?

ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ ସାରା ଦେଶରେ ପ୍ରତିବାଦ କରାଯାଉଥିବାରୁ ସ୍ବର ଦବାଇବାକୁ କିଛି ଦୁବୃର୍ତ୍ତ ଏଭଳି କାଳିମାଡ କରିଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାଳିମାଡ଼ ଦଳ ବାହାରୁ କଂଗ୍ରେସ ବିରୋଧୀ ଷଡ଼ଯନ୍ତ୍ର ନା ଦଳ ଭିତରୁ ଶରତଙ୍କ ପାଇଁ ଆକ୍ରୋଶ?ମୁହଁରେ ମୁଖା ପିନ୍ଧି ପିସିସି ସଭାପତିଙ୍କୁ କାଳିମାଡ଼ କରିଥିବା ଏହି ଯୁବକମାନେ କିଏ? କାହିଁକି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ କଲେ? ନିର୍ବାଚନରେ ୯ରୁ ୧୪କୁ ଆସିଲା କଂଗ୍ରେସ। କଂଗ୍ରେସକୁ ଦୁର୍ବଳ କରିବାକୁ ଚାହୁଁଥିବା ଶକ୍ତିଙ୍କୁ ବରଦାସ୍ତ କରିବୁନି ବୋଲି ପିସିସି ସଭାପତି କହିଛନ୍ତି । କାଳିମାଡ଼ ପଛରେ ବିଜେପି କିମ୍ବା ଅନ୍ୟ କେହି ଦୁର୍ବୃତ୍ତ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। ତେବେ କାଳିମାଡ ପଛରେ କିଏ, ତାହା ଏପର୍ଯ୍ୟନ୍ତ ଜଣାପଡିନି। ଦଳ ବାହାରୁ କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଥିବା କହୁଛନ୍ତି ଶରତ ପଟ୍ଟନାୟକ, ହେଲେ କଂଗ୍ରେସ ଭିତରେ ବି ନେତା ଓ କର୍ମୀଙ୍କ ମନରେ ତାଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ରହିଛି।

ନିର୍ବାଚନରେ ଭଲ କଲା ବିଜେପି, ହେଲେ ଶାସନ ବିରୋଧୀ ହାଓ୍ବାରୁ ଫାଇଦା ନେଇପାରିଲାନି କଂଗ୍ରେସ। ୯ରୁ ୯୦ ନାରା ଲଗାଇଥିବା ରାଜ୍ୟ କଂଗ୍ରେସ ୧୪ରେ ହିଁ ରହିଗଲା। ଦଳରୁ ହେଭିଓ୍ବେଟ୍ ନେତାଙ୍କ ଇସ୍ତଫା, ବାରମ୍ବାର ଟିକେଟ୍ ପରିବର୍ତ୍ତନ, ଫଣ୍ଡ ଅଭାବ ଭଳି ଅନେକ ଅଭିଯୋଗ ଆସିଛି । ଏପରିକି ଟିକେଟକୁ ନେଇ ଟଙ୍କା ଡିଲ୍ ଅଭିଯୋଗ ବି ଆଣିଥିଲେ ଆଶାୟୀ। ୧୪୭ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ଆସିଥିଲା, ହେଲେ ଜାଲ ଦସ୍ତଖତ କରି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ କଂଗ୍ରେସରୁ ବହିଷ୍କୃତ ମାନସ ଚୌଧୁରୀ । ମାନସଙ୍କ ଅଭିଯୋଗର ସତ୍ୟତା କେତେ, ସେନେଇ ସ୍ପଷ୍ଟ ହୋଇନଥିଲେ ବି ଶରତଙ୍କ ବିରୋଧରେ ଯେ, ଜୋରଦାର ଆକ୍ରୋଶ ରହିଛି ସେକଥା ସତ ।

ସୂଚନା ଯୋଗ୍ୟ ରାଜ୍ୟର ରାଜନୈତିକ ସ୍ଥିତି ଯାହା ଥିଲା କଂଗ୍ରେସ ଚାହିଁଥିଲେ ଅଧିକ ସିଟ୍ ଜିତିପାରିଥାନ୍ତା । ହେଲେ ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁଁ ଦଳ ଅନେକ ସିଟ୍ ହରାଇଥିବା ବି ଅଭିଯୋଗ ହେଉଛି । ଏହାପଛରେ ବିଜେଡି ସହ କଂଗ୍ରେସ ନେତୃତ୍ବଙ୍କ ଡିଲକୁ ନେଇ ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ବିଜେଡି ଇଙ୍ଗିତରେ କଂଗ୍ରେସ ନେତୃତ୍ବ ଜାଣିଶୁଣି ବିଜୟ ସମ୍ଭାବନା ନଥିବା ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ଅଭିଯୋଗ ହେଉଛି। ଡିଲ୍ ସତରେ ହୋଇଥିଲା କି ନାହିଁ, ସେକଥା ଜଣାପଡିନି। ତେବେ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ କେଉଁଠି ନା କେଉଁଠି ଦଳୀୟ ନେତୃତ୍ବଙ୍କୁ ହିଁ ଦାୟୀ ଭାବୁଛନ୍ତି ନେତା ।

ରାଜ୍ୟରେ ଗତଥର ଅପେକ୍ଷା ଭଲ କରିଛି କଂଗ୍ରେସ। ଗତଥର ମାତ୍ର ୯ଟି ବିଧାନସଭା ସିଟ୍ ଜିତିଥିବା ବେଳେ ଏଥର ସଂଖ୍ୟା ୧୪ରେ ପହଞ୍ଚିଛି । ତେବେ ଏଥର ଆହୁରି ଭଲ କରିପାରିଥାନ୍ତା ଦଳ । ବିଜେପି ଏକଜୁଟ୍ ହୋଇ ଲଢିଥିବା ବେଳେ, କଂଗ୍ରେସ ନେତୃତ୍ବ ପ୍ରାର୍ଥୀଙ୍କ ପାଇଁ ନା ମଇଦାନକୁ ଓହ୍ଲାଇଲେ ନା ଦଳୀୟ ପାଣ୍ଠି ଛାଡିଲେ । ଫଳରେ ଅନେକ ଜିତିବା ସିଟ୍ ବି ହାରିଗଲା କଂଗ୍ରେସ। ପିସିସି ସଭାପତିଙ୍କ ବିରୋଧରେ କଂଗ୍ରେସରେ ସ୍ବର ଉଠିବା ନୂଆ ନୁହେଁ । ଆଗରୁ ବି ଦଳୀୟ କନ୍ଦଳକୁ ନେଇ ମହାଭାରତ ହୋଇଛି । ହେଲେ ରାଜ୍ୟରେ ଭଲ ସ୍କୋର କରିବା ସୁଯୋଗ କଂଗ୍ରେସ ହାତଛଡା କରିଥିବାରୁ ଅନେକ କର୍ମୀ ଓ ନେତା ଅସନ୍ତୁଷ୍ଟ ରହିଛନ୍ତି । ତେଣୁ ପିସିସି ସଭାପତିଙ୍କୁ କାଳିମାଡ଼ର କାରଣ ଅସ୍ପଷ୍ଟ ହୋଇଥିଲେ ବି ଦଳୀୟ କନ୍ଦଳ ସମ୍ଭାବିତ କାରଣ ହୋଇପାରେ ବୋଲି ସମ୍ଭାବନା କରାଯାଉଛି।

ସେୟାର କରନ୍ତୁ

Next Post

ପ୍ରତିଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ...

Fri Jun 21 , 2024
ଭୁବନେଶ୍ୱରବ୍ୟୁରୋ: ୨୧/୦୬- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ।ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ […]

You May Like

Pin It on Pinterest