ବାସ୍ତବ ବ୍ୟୁରୋ: ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ମସିହାର ଏହି ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ୩୯ ବର୍ଷ ପରେ ଜଣେ ଅଣ ଓଡିଆ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ଶେଷଥର ପାଇଁ ୧୯୮୩ ମସିହାରୁ ୧୯୮୫ ମସିହା ପର୍ୟ୍ୟନ୍ତ ଅଣ ଓଡିଆ ଅଫିସର ଜ୍ଞାନ ଚାନ୍ଦ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ରହିଥିଲେ ।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜୁନ୍ ୩୦ ତାରିଖରେ ଅବସର ନେବେ। ସେ ଅବସର ଗ୍ରହଣ କରିବା ପରେ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ସହିତ ମନୋଜ ଆହୁଜା ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ।
ତେବେ ମନୋଜ ଆହୁଜା ତାଙ୍କ କ୍ୟାରିୟରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାମ କରିସାରିଛନ୍ତି । କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ସେ କାମ କରିସାରିଛନ୍ତି । ଏହାସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ ସେ କାମ କରିଛନ୍ତି । ତା ସହିତ ସେ ଶିକ୍ଷା ମନ୍ତ୍ରାଳୟରେ ସିବିଏସଇ ଚେୟାରମ୍ୟାନ୍ ଭାବେ ମଧ୍ୟ କାମ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୯୦ ବ୍ୟାଚର ଏହି ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କେନ୍ଦ୍ରରେ ସେ କୃଷି ମନ୍ତ୍ରାଳୟର ସଚିବ ଭାବେ କାମ କରୁଥିଲେ । ହେଲେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ତାଙ୍କ ଓଡିଶା ଫେରିବାକୁ ଅନୁମତି ମଧ୍ୟ ଦିଆଯାଇଥିଲା ।



