କାଗଜମୁକ୍ତ ହେବ ବିଧାନସଭାର ସମସ୍ତ କାର୍ଯ୍ୟ ’‘ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ର’: ବାଚସ୍ପତି…

ଭୁବନେଶ୍ୱର, ୨୯/୦୬(ଗୌତମ ମିଶ୍ର): ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଫଳ ସ୍ୱରୂପ ଜାତୀୟ ଇନ୍‌ଫର୍‌ମେଟିକ୍‌ ସେଣ୍ଟର (ଏନ୍‌ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍‌ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ । ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସମସ୍ତ ବିଲ୍‌ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବ । ଏହି ପ୍ରକଳ୍ପକୁ ଆମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ପଡ଼ିବ, ନହେଲେ ବୈଷୟିକ ଦୃଷ୍ଟିରୁ ଆମେ ପଛରେ ପଡ଼ିଯିବା । ଆଗାମୀ ଦିନରେ ନେଭା କାର୍ଯ୍ୟକ୍ରମକୁ କାଗଜମୁକ୍ତ କରାଯିବା ଫଳରେ ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ରର ଆଭିମୁଖ୍ୟ ହାସଲ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ।

ଏହି ଅବସରରେ ବିଧାନସଭାର ସଚିବ ଦାଶରଥି ଶତପଥୀ କହିଲେ ଯେ” ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଥିବା ବିଧାନସଭାର କାର୍ଯ୍ୟଧାରା କାଗଜମୁକ୍ତ ହୋଇପାରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ “।ଏହା ଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବ।ନେଭା ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କାଗଜମୁକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା । ଆମର ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କର ଭୂମିକା ଏ କ୍ଷେତ୍ରରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଉନ୍‌ଫର୍‌ମେଟିକ୍‌ ଅଫିସର ଡ. ଅଶୋକ କୁମାର ହୋତା କହିଲେ ଯେ ନେଭା ଆପ୍ଲିକେସନ୍‌ ହେଉଛି ବିଧାନସଭାରେ କାଗଜମୁକ୍ତ କାର୍ଯ୍ୟକ୍ରମର ଏକ ଅଭିଯାନ । ଏହି ଯୋଜନା ମାଧ୍ୟମରେ ଜିଲ୍ଲାସ୍ତରଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଇପାରିବ ।

ଏହି ଅବସରରେ ମାନ୍ୟବର ବାଚସ୍ପତି ସମାପ୍ତ ହୋଇଥିବା ନିର୍ବାଚନ କାର୍ଯ୍ୟରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ ସମ୍ବର୍ଦ୍ଧିତ କରିଥିଲେ । ବିଧାନସଭା ଦାୟିତ୍ୱରେ ଥିବା ଏନ୍‌ଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

ଜଙ୍ଗଲ ଜମି ହସ୍ତାନ୍ତର ହୋଇପାରିବ ନାହିଁ କି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ- ରାଜସ୍ବ ମନ୍ତ୍ରୀ

Sun Jun 30 , 2024
ଭୁବନେଶ୍ୱର ୨୯/୦୬(ନି.ପ୍ର): ଖୋଲୁଛି କିସ୍ ଜମି ଦୁର୍ନୀତି ମାମଲାର ପେଡି ।ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ରାଜସ୍ବ ବିଭାଗକୁ ସବିଶେଷ ତଥ୍ୟ ମାଗିଲେ ରାଜସ୍ବ ମନ୍ତ୍ରୀ । କହିଲେ ଏହା କେବଳ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ନିୟମାନୁସାରେ ଏ ଜମି ହସ୍ତାନ୍ତର ହୋଇପାରିବ ନାହିଁ କି ଜମିର କିସମ ମଧ୍ୟ ବଦଳି ପାରିବ ନାହିଁ । […]

You May Like

Pin It on Pinterest