
ସମ୍ପାଦକୀୟ: ଆଦିବାସୀ ଅଧ୍ଯୁଷିତ ପଛୁଆ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡିଥିବାବେଳେ ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ବିଶେଷଜ୍ଞ ଓ ଡାକ୍ତର ନାହାନ୍ତି। ଜିଲ୍ଲାରେ ଗର୍ଭବତୀ ଓ ଶିଶୁ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ଦୁଇ ତୃତୀୟାଂଶ ଡାକ୍ତର ପଦବୀ ଖାଲି ପଡିଛି। ଥିଲାବାଲା ପରିବାର ରୋଗୀ ଚିକିତ୍ସା ନିମନ୍ତେ ବାହାର ରାଜ୍ୟକୁ ଭରସା କରୁଥିବାବେଳେ, ଗରିବ ପରିବାର ରୋଗୀ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି । ଡାକ୍ତର ବଦଳରେ ଗାଁର ଦିଶାରୀ ଗୁଣିଆ ଅଥବା ନକଲି ଡାକ୍ତର (କ୍ୱାକ୍)ଙ୍କ ଶରଣରେ ଯାଇ ସର୍ବସ୍ବାନ୍ତ ହେଉଥିବାବେଳେ ଭୁଲ ଚିକିତ୍ସାରୁ ଅକାଳରେ ମରଣକୁ ବରଣ କରିବା ସାର ହେଉଛି।

ତେବେ ଗୋଟିଏ ପଟେ ଡାକ୍ତର ଅଭାବ ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଅନ୍ଯପଟେ ୨୭୪ ଗାଁକୁ ପାଦଚଲା ରାସ୍ତା ହେତୁ ବର୍ଷାଦିନେ ଗାଁକୁ ପସିପାରୁନି ଆମ୍ବୁଲାନ୍ସ। ସରକାର ପଛୁଆ ଅଞ୍ଚଳରେ ବିକାଶର ଲାରା ଦେଉଥିବାବେଳେ ଖଟିଆରେ ରୋଗୀବୁହା ଚିତ୍ର ବୟାନ କରୁଛି ବିକାଶର ନଗ୍ନ ନମୁନା ବା ବାସ୍ତବ ଚିତ୍ର। ତେବେ ଗତ ଦଶନ୍ଧିରେ ଜିଲ୍ଲାର ୨୮୯ଟି ଗାଁକୁ ପକ୍କା ରାସ୍ତା ନ ଥିବା ରେକର୍ଡ ରହିଥିବା ବାବେଳେ ଦୀର୍ଘ ବର୍ଷରେ ମାତ୍ର ୧୫ଟି ଗାଁର ସମସ୍ୟା ସମାଧାନ ସମ୍ଭବ । ହୋଇଥିବା ସରକାରୀ ଦସ୍ତାବିଜରୁ ଜଣାପଡିଛି। ଏବେବି ୧୭୪ଟି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନ ଥିବାବେଳେ ଅପହଞ୍ଚ ଗାଁର ରୋଗୀ ଓ ଗର୍ଭବତୀଙ୍କୁ ଡାକ୍ତରଖାନା ଯିବା ପାଇଁ ଖଟିଆ ଉପରେ ନିର୍ଭର କରିବାକୁ ପଡୁଛି।

ପ୍ରଶାସନର ପରିସଂଖ୍ୟାନ ଅନୁଯାୟୀ ଉପାନ୍ତ ଝରିଗାଁ ବ୍ଲକର ୬୭ଟି ଗାଁକୁ ରାସ୍ତା ନ ଥିବାବେଳେ ରାଇଘର ବ୍ଲକର ୭୫ଟି ଗାଁକୁ ରାସ୍ତା ନାହିଁ । ସେହିଭଳି ତେନ୍ତୁଳିଖୁଣ୍ଟିର ୪୧, ଚନ୍ଦାହାଣ୍ଡିର ୩୩, ଉମରକୋଟର ୨୬ ଓ ପାପଡାହାଣ୍ଡି ବ୍ଲକର ୨୬ ଗାଁକୁ ରାସ୍ତା ନାହିଁ। କୋଷାଗୁମୁଡ଼ାର ୩୫, ନନ୍ଦାହାଣ୍ଡିର ୨ ଓ ଡାବୁଗାଁ ବ୍ଲକର ଗୋଟିଏ ଗାଁକୁ ରାସ୍ତା ନଥୁବାରୁ ବର୍ଷାଦିନେ ଆମ୍ବୁଲାନ୍ ଗଡ଼ିପାରୁନାହିଁ।
ତେବେ ସରକାରୀ ଭାବେ ଏହି ହିସାବ ରହିଥିଲେ ମଧ୍ୟ ବାସ୍ତବରେ ରେ ଆହୁରି ଅଧୂକ ଗାଁ ଏମିତି ତାଲିକାରେ ରହିଛି। ବର୍ଷା ଦିନେ କେଉଁଠି ନଦୀ ଅଥବା ନାଳ ବାଧକ ସାଜୁଥିବାବେଳେ ସଂରକ୍ଷିତ ଜଙ୍ଗଲରେ ଗଢ଼ି ଉଠିଥିବା ବହୁ ବେଆଇନ ବସ୍ତିକୁ ରାସ୍ତା ନିର୍ମାଣ କାଠିକର ପାଠ ହୋ ହୋଇଯାଇଛି ।
ତେବେ ବିଦାୟୀ ସରକାର ଭାଷଣ ସର୍ବସ୍ବ ନାରା ଦେଇ, ବର୍ତ୍ତମାନ ଡବଲ ଇଞ୍ଜିନ ସରକାରକୁ ଭରସା କରିଛନ୍ତି ସ୍ଥାନୀୟ ଲୋକେ ତଥା ରାଜ୍ୟବାସୀ। ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ ଲୋକପ୍ରତିନିଧିଏହି ସମ୍ବେଦନଶୀଳ ମାମଲାରେ ପୂରା ଅବଗତ ଥିବାବେଳେ କେବେ ସୁଧୁରିବ ସମସ୍ୟା ଓ ଏହି ସମସ୍ତ ଅପହଞ୍ଚ ଗାଁରେ ପହଞ୍ଚିବ ଆମ୍ବୁଲାନ୍ସ ତାକୁ ଅପେକ୍ଷା ରହିଛି। ରାସ୍ତାରେ ପ୍ରସବ ଓ ଅଧାବାଟରେ ରୋଗୀ ମୃତ୍ୟୁବରଣ କରୁଥିବାବେଳେ ଏମିତି ସମସ୍ୟାର ସମାଧାନ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।



