
ବାସ୍ତବ ବ୍ୟୁରୋ: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା।
ମମତା ମହାନ୍ତ ‘X’ ଲେଖିଛନ୍ତି, “ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି। ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଏବଂ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।”
ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା। ତେଣୁ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ମମତା ଲେଖିଛନ୍ତି।”