ଧ୍ୱସ୍ତ ହେବାକୁ ଯାଉଛି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ..

ଗଜପତି(ନି.ପ୍ର): ସମ୍ପ୍ରତି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ,ରକ୍ଷଣାବେକ୍ଷଣ ଅଭାବରୁ ଆଗାମୀ କିଛିବର୍ଷ ମଧ୍ୟରେ ଧ୍ୱସ୍ତ ହେବାକୁ ଯାଉଥିବା ଅନୁମାନ କରାଯାଉଛି । ସମ୍ପ୍ରତି ରାଜନଅରର ଦରବାର ହଲ୍‌ର ଉପରିଭାଗ ଲଗାଣବର୍ଷା ଫଳରେ ଭୁଷୁଡ଼ି ପଡ଼ିଥିବା ସଂସ୍କୃତିପ୍ରେମୀ ପାରଳା ଓ ଗଜପତି ଜିଲ୍ଳାବାସୀଙ୍କୁ ବ୍ୟଥିତ କରିଛି ।

ବିଗତ କିଛି ବର୍ଷ ତଳେ ଦରବାର ହଲର ଉପରିଭାଗ ସାମାନ୍ୟ ଭାଙ୍ଗିଥିବା ଜଣାଯାଇଥିଲା ।ଏବଂ ଏହାର ତୁରନ୍ତ ମରାମତି ସକାଶେ ତତ୍କାଳୀନ ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତିଙ୍କ ଦୃଷ୍ଟିକୁ ଅଣାଯାଇଥିବାବେଳେ ବର୍ତମାନ ସେ ଆରପାରିରେ । ସମ୍ପ୍ରତି ରାଜନଅରର ମୁଖ୍ୟ ରାଜକୁମାରୀ କଲ୍ୟାଣୀ ଦେବୀ ଗଜପତିଙ୍କ ତତ୍ୱାବଧାନରେ ଏହି ଐତିହ୍ୟସମ୍ପନ୍ନ ରାଜପ୍ରାସାଦ ରହିଛି । ରାଜ୍ୟ ସରକାର କିମ୍ବା ସଂସ୍କୃତି ବିଭାଗ ଅଥବା ଇନ୍‌ଟାକ୍ ଏହାର ରକ୍ଷଣାବେକ୍ଷଣ କରିବାକୁ ବହୁବାର ଅନୁରୋଧ କରାଯାଇଥିଲେ ମଧ୍ୟ କଲ୍ୟାଣୀଦେବୀ ଗଜପତି ସେଥିପ୍ରତି କର୍ଣପାତ କରୁନଥିବା ସର୍ବସାଧାରଣରେ ଆଲୋଚନା ହେଉଛି ।

କିଛି ଗଣମାଧ୍ୟମର ପ୍ରତିନିଧି ସମ୍ପ୍ରତି ଭୁଷୁଡ଼ି ପଡ଼ିଥିବା ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଲେ ନଅର ପହରାଦାର ବା କର୍ମଚାରୀମାନେ ଦୂର ଦୂର ମାର ମାର୍ କରୁଥିବା ଅଭିଯୋଗ ହେଉଛି । ଓଡ଼ିଶା ଭାଷାଭିତିକ ରାଜ୍ୟ ଗଠନ ଆନ୍ଦୋଳନର ମୁଖ୍ୟ ବିନ୍ଧାଣୀ ପୁଣ୍ୟଶ୍ଲୋକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ମୂକସାକ୍ଷୀହୋଇଥିବା ପାରଳା ରାଜପ୍ରାସାଦର ଦରବାର ହଲ୍ ଅନେକ ଦୃଷ୍ଟିରୁ ବହୁ ଏତିହ୍ୟ ଓ ଗୁରୁତ୍ୱ ବହନ କରୁଛି । ସାଧାରଣ ପାରଳାବାସୀ ଏହା ରାଜନଅରର ବ୍ୟକ୍ତିଗତ ମାମଲା କହି ଏହାର ସୁରକ୍ଷା ଦିଗରେ ପ୍ରଶ୍ନ ଉଠାଇବାକୁ ମଧ୍ୟ କୁଣ୍ଠାପ୍ରକାଶ କରୁଛନ୍ତି ।

ଆଜି ଦରବାର ହଲ୍ ଉପରିଭାଗ ଭୁଷୁଡ଼ି ଯାଇଛି । ଆସ୍ତେ ଆସ୍ତେ ନଅରର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକ ଧ୍ୱସ୍ତ ହେବାରେ ବେଶି ସମୟ ଲାଗିବନି । ଆମ ଆଖି ଆଗରେ ଏପରି ଏକ ଐତିହ୍ୟସମ୍ପନ୍ନ, ଓଡ଼ିଶାର ଅନ୍ୟତମ ସୁରମ୍ୟ ରାଜପ୍ରାସାଦ ଓ ଓଡ଼ିଶା ଆନ୍ଦୋଳନର ଐତିହ୍ୟକୁ ନିଜ ବକ୍ଷରେ ଧାରଣ କରିଥିବା ପାରଳାଖେମୁଣ୍ଡି ରାଜପ୍ରାସାଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ହୋଇପଡ଼ିଛି ।ପାରଳାକୁ ଭଲ ପାଉଥିବା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳପିଣ୍ଡ ଐତିହ୍ୟ ପାରଳା ରାଜପ୍ରାସାଦର ସୁରକ୍ଷା ପାଇଁ ଓଡ଼ିଶାର ଜନସାଧାରଣ ଆଗେଇ ଆସିବାକୁ ଅନୁରୋଧ ।

ସେୟାର କରନ୍ତୁ

Next Post

ସ୍ୱଚ୍ଛ ଏବଂ ପାରଦର୍ଶିତାର ସହ ପରୀକ୍ଷା କରିବାକୁ ପ୍ରତିବଦ୍ଧ -ଧର୍ମେନ୍ଦ୍ର ପ୍ରଧାନ

Sat Aug 3 , 2024
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନିଟ୍- ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ଏହା ସତ୍ୟର ବିଜୟ ବୋଲି କହିଛନ୍ତି।ସେ କହିଛନ୍ତି ଯେ ପରୀକ୍ଷା ତୃଟିମୁକ୍ତ ଏବଂ ସ୍ୱଚ୍ଛ ଭାବରେ କରିବାକୁ ସରକାର ପ୍ରତିବଦ୍ଧ। ଏ ବାବଦରେ କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ତାହାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ। ପରୀକ୍ଷାରେ ଅନିୟମିତତାକୁ ରୋକିବା ଏବଂ NTA […]

You May Like

Pin It on Pinterest