
କଟକ(ନି.ପ୍ର): ସର୍ବଶକ୍ତିମାନ ମହାବିଷ୍ଣୁଙ୍କ ଦଶମ ଅବତାର ଭଗବାନ କଳକୀଙ୍କ ପ୍ରଚାର ପ୍ରସାର କରି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅନନ୍ତମାଧବଙ୍କ ଜନ୍ମ ଶତବାର୍ଷିକୀ ଧୂମଧାମରେ ପାଳନ କରାଯାଇଛି ।
ସୁଧର୍ମା ଭବନରେ ବାବା ଅନନ୍ତମାଧବଙ୍କ ସମାଧିପୀଠରେ ଆୟୋଜିତ ଶତବାର୍ଷିକୀ ସତସଙ୍ଗକୁ ବିଶିଷ୍ଟ ଶିକ୍ଷାବିତ ତଥା ମାଳିକା ଗବେଷକ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ଉଦଘାଟନ କରିବା ସହିତ ସ୍ମରଣିକା ଉନ୍ମୋଚନ କରିଥିଲେ । ପ୍ରବଚକ ବିନୋଦ ବିହାରୀ ନାୟକ ଓ ପ୍ରଫେସର ଦାମୋଦର ବେହେରା ଅନନ୍ତମାଧବଙ୍କ ଦିବ୍ୟଳିଲା ସମ୍ପର୍କରେ ମାଳିକାର ବିଭିନ୍ନ ପଂକ୍ତିର ଉଦାହରଣ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ବରିଷ୍ଠ ଆଇନଜୀବି ନଟବର ପଣ୍ଡା ଶତବାର୍ଷିକ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆଗନ୍ତୁକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।
ମୁଖ୍ୟ ଅତିଥି ଡକ୍ଟର ଦାସ ବାବା ଅନନ୍ତମାଧବଙ୍କୁ ଲୀଳାପୁରୁଷଙ୍କ ଅଂଶ ଭାବେ ଅଭିହିତ କରି ଯାଜପୁରଠାରେ ସୁଧର୍ମା ସଭା ଓ ଖଣ୍ଡଗିରି ଆଶ୍ରମରେ ଓଡିଶା ସାଧୁସନ୍ଥ ସମ୍ମିଳନୀ କରିବା ସମ୍ପର୍କରେ ଉଲ୍ଲେଖ କରିଥିଲେ ।ଆଶ୍ରମର ବଡ ମା’ ପ୍ରତିମା, ସୁଷମା ମା’ଙ୍କ ସମେତ ରାଧା ବାବା, ରବୀନ୍ଦ୍ର ମିଶ୍ର, ସତସଙ୍ଗର ମୁଖ୍ୟ ଆୟୋଜକ ଆନନ୍ଦଚନ୍ଦ୍ର ବାରିକ ଓ ବାବାଙ୍କ ବଡପୁଅ ବିଜୟ କୁମାର ଦାସ ସତସଙ୍ଗ ପରିଚାଳନା କରିଥିଲେ । କଟକ ମହ୍ଲାସାହିର ରାସମଣ୍ଡଳୀ ରାସ ପରିବେଷଣ କରିଥିଲେ ଶେଷରେ ଶତାଧିକ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।