ବାସ୍ତବ ବ୍ୟୁରୋ: ଆଜି ମଧ୍ୟ ବିଧାନସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡି ବିଧାୟକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି।
ସୂଚନାନୁଯାୟୀ, ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡିର ୨ ବିଧାୟକ ମାଧବ ଧଡ଼ା ଓ ରୋମାଞ୍ଚ ବିଶ୍ୱାଳ ପୋଡିୟମ୍ ଚଢ଼ିବାକୁ ଉଦ୍ୟମ କରିଥିଲେ। ସେମାନେ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାକୁ ରୋକିବାକୁ ଯାଇ ବିଧାନସଭାରେ ଉପସ୍ଥିତ ମାର୍ଶଲଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ବି ହୋଇଛି। ଏଥିସହ ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ମଧ୍ୟ ସେମାନେ ଉଦ୍ୟମ କରିଥିଲେ। ସେହିଭଳି ଆଉ କିଛି ବିଜେଡି ବିଧାୟକ ସିଢି ବାଟ ଦେଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ଉପସ୍ଥିତ ମାର୍ଶଲ ସେମାନଙ୍କୁ ଅଟକାଇଥିଲେ ।
ବିଜେଡି ବିଧାୟକ ମାଧବ ଧଡ଼ା କହିଛନ୍ତି, “ଗଣତାନ୍ତ୍ରିକ ଉପାୟରେ ଆମେ ଗୃହକୁ ବନ୍ଦ କରିବାକୁ ଚାହିଁଥିଲୁ। କିନ୍ତୁ ବାଚସ୍ପତି ଗୃହକୁ ବନ୍ଦ କଲେ ନାହିଁ। ତେଣୁ ଆମେ ଯାହା କରିଛୁ ଗଣତାନ୍ତ୍ରିକ ଭାବେ କରିଛୁ, ସୀମା ବାହାରକୁ ଯାଇ କିଛି କରିନୁ। କାରଣ ଆମ ଦଳ ସବୁବେଳେ ମା’କୁ ସମ୍ମାନ ଦେଇ ଆସୁଛି।”
ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ କରିଆସୁଥିଲା ବିଜେଡି। ଆଜି ବିଧାନସଭା ଗୃହର ମର୍ଯ୍ୟାଦାକୁ ଉଲଂଘନ କରି ବିଶୃଙ୍ଖଳିତ ଆଚରଣ କରିଛନ୍ତି ବିରୋଧୀ ବିଜେଡି ବିଧାୟକ।