
ବରଗଡ୨୮/୮(ନବୀନ କୁମାର ଦାଶ):ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି।ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ।
ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ମନ୍ତ୍ରୀ କହିଛନ୍ତି ଯେ,୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ସେହିପରି ଏହି ପ୍ରକଳ୍ପ କାର୍ଯ୍ୟରେ ୪୭ ହଜାର ଲୋକ ନିୟୋଜିତ ହେବେ।ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି,ମହାପ୍ରଭୁ ନୃସିଂହନାଥଙ୍କ ପୀଠ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ତିନି ପିଢ଼ିର ଲୋକଙ୍କର ସ୍ବପ୍ନ ଥିଲା।ଏବେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହା ପଶ୍ଚିମ ଓଡ଼ିଶା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନୂଆଁଖାଇ ଭେଟି ବୋଲି ପ୍ରଦୀପ କହିଛନ୍ତି।ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରେଲମନ୍ତ୍ରୀଙ୍କୁ ଭେଟି ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଥିଲେ।ପଶ୍ଚିମ ଓଡ଼ିଶାର ଆର୍ଥିକ,ବ୍ୟାବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଳପଥ ଲାଇଫଲାଇନ୍ ସାବ୍ୟସ୍ତ ହେବ ବୋଲି ସେ ଦାବିପତ୍ରରେ ଦର୍ଶାଇଥିଲେ।ପଦ୍ମପୁର ଉପ- ନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଥିଲେ।



