ବାସ୍ତବ ବ୍ୟୁରୋ: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଭବନରେ ଶୁଭାରମ୍ଭ ହୋଇଛି ଏହି ଯୋଜନା । ‘ପିଏମ୍-ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ବାକ୍ଷରିତ ହୋଇଛି । ଓଡିଶା ସର ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁନୀଲ ବର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ଉପସ୍ଥିତରେ MOU ସ୍ବାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନ ପାଇଁ ଏହା ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ୨୦୨୩-୨୪ରୁ ୨୦୨୫-୨୬ ଯାଏ ଲାଗୁ ହେବ । ଯୋଜନା ଲାଗୁ କରିବାକୁ ଆମକୁ ସ୍ପିଡ ବଢାଇବାକୁ ପଡିବ । କମ୍ ଦିନରେ ଅଧିକ କାମ କରିବାକୁ ପଡିବ । ଦକ୍ଷତା କ୍ଷେତ୍ରରେ ବିକାଶ ଏବଂ ଟେକ୍ନୋଲୋଜି ସହ ତାଳ ଦେଇ ଚାଲିବାକୁ ପଡିବ । ପିଏମ୍-ଉଷା ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଶାଣିତ କରିବ ।
ପିଏମ୍-ଉଷା ଯୋଜନା ଦକ୍ଷତା ବିକାଶ, ଗବେଷଣା ଏବଂ ଚାକିରି କ୍ଷେତ୍ରରେ ଅମୃତ ଭଳି ହେବ । ଶିକ୍ଷାରେ ରାଜନୈତିକ ମନୋଭାବ ରହିବା କଥା ନୁହେଁ । ଏବେ ଆମେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲିଛୁ । ଶିକ୍ଷା ସହ ଭାଷାକୁ ଯୋଡିଛୁ । ୨୬ଟି ଭାଷାରେ ଲାବୋରେଟୋରି ଖୋଲିଛି । କିଛି ପ୍ରତିବନ୍ଧକ ରହିବନି, ଅର୍ଥ ବାଧକ ସାଜିବନି ।