ବାସ୍ତବ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାପଡିଛି।
ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ଏହାଛଡ଼ା ସେ ୨୦୧୮ରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ତେବେ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଶୋକ ବାର୍ତ୍ତାରେ କହିଛନ୍ତି, “ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପବିତ୍ର ଆତ୍ମାର ଶାନ୍ତି ଓ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜନପ୍ରତିନିଧି ଭାବରେ ସମ୍ବଲପୁର ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।”



