ନିର୍ମାଣ ଶ୍ରମିକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ତରଫରୁ ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ।

ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା,  ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ। ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି କଳ କାରଖାନା। ପିଚୁ, ଗୋଡି, ବଜୁରିକୁ ମିଶ୍ରଣ କରି ନିର୍ମାଣ କରନ୍ତି ସୁନ୍ଦର ରାସ୍ତା ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରମିକ ଭାଇମାନଙ୍କ ଅଭାବ ଅସୁବିଧା ଓ ପ୍ରତିକୂଳତାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ରଖିଛନ୍ତି। ସେମାନେ କିପରି ସୁରକ୍ଷିତ ରହିବେ, ସେମାନଙ୍କ ଅଭାବ, ଅସୁବିଧା ସମୟରେ, ସେବା ନିବୃତ ହେବା ପରେ କିମ୍ବା ଦୁର୍ଘଟଣା ଅଥବା ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରର ମଙ୍ଗଳକୁ ଦୃଷ୍ଟିରେ ରଖି ଗଢା ହୋଇଛି ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’।

ସେଥିପାଇଁ ସମସ୍ତେ ତାଙ୍କର ସାମାଜିକ ନିରାପତ୍ତା ପାଇବା ପାଇଁ ବୋର୍ଡରେ ନିଜ ନିଜର ନାମ ପଞ୍ଜିକୃତ କରିବା ଆବଶ୍ୟକ। ଅସୁବିଧା ସମୟରେ, ଏହି ସଂସ୍ଥା କେବଳ ଏକ ସରକାରୀ ସଂସ୍ଥା ନୁହେଁ, ବରଂ ଆପଣଙ୍କ ପ୍ରିୟ ବନ୍ଧୁ ଭାବେ ମଧ୍ୟ ସାବ୍ୟସ୍ତ ହେବ। ପ୍ରତି ଜିଲ୍ଲାରେ ଆପଣଙ୍କୁ ସାହଯ୍ୟ କରିବା ପାଇଁ ଶ୍ରମ ଅଧିକାରୀମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ‘ମୋ ସେବା’ ନାମରେ ଏକ ପୋର୍ଟାଲ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି।

ନିର୍ମାଣ ଶ୍ରମିକଙ୍କ ପରିବାରର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବୋର୍ଡ ପକ୍ଷରୁ ଏସବୁ ସୁବିଧା ସୁଯୋଗ କରାଯାଇଛି।  ତେଣୁ ଆପଣମାନେ ସମସ୍ତେ ନିଜକୁ ଏହି ‘ଶ୍ରମିକ କଲ୍ୟାଣ ବୋର୍ଡ’ ରେ ସାମିଲ କରନ୍ତୁ ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନିଅନ୍ତୁ। ଆମ ସରକାର ଆପଣମାନଙ୍କ ସହିତ ଅଛି ଓ ସବୁବେଳେ ରହିବ ବୋଲି ସେ କହିଛନ୍ତି।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଏଣିକି ଅନୁକମ୍ପାମୂଳକ ସହାୟତା ଭାବେ ୬ଲକ୍ଷ ଟଙ୍କା ଦିଆଯିବ। ସେହିଭଳି ସ୍ବାଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ। ପୂର୍ବରୁ  ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ଅନୁକମ୍ପାମୂଳକ ସହାୟତା ୪ଲକ୍ଷ ଟଙ୍କା ମିଳୁଥିବାବେଳେ ସ୍ବାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ମିଳୁଥିଲା ।

ସେୟାର କରନ୍ତୁ

Next Post

ପରଲୋକରେ ବରିଷ୍ଠ ରାଜନେତା ତଥା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ...

Thu Sep 12 , 2024
ବାସ୍ତବ ବ୍ୟୁରୋ: ପରଲୋକରେ ବରିଷ୍ଠ ରାଜନେତା ତଥା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ । ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି । ୟେଚୁରୀ […]

You May Like

Pin It on Pinterest