ବାସ୍ତବ ବ୍ୟୁରୋ: ଆଜି ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଶୁଭାରମ୍ଭ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।
ବ୍ରହ୍ମପୁର ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ଆରମ୍ଭ କରିଛି । ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ।
ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ । ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ମଧ୍ୟରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଅଟକିବ ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ ପତାକା ଦେଖାଇ କରିଛନ୍ତି। ଓଡ଼ିଶାରୁ ଦୁଇଟି ବନ୍ଦେ ଭାରତ ଗଡ଼ିଥିବାବେଳେ ଅନ୍ୟ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଶୁଭାରମ୍ଭ ହୋଇଛି। ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି।