ବାସ୍ତବ ବ୍ୟୁରୋ: ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଜନ୍ମ ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି। ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି।
ପ୍ରଚାର ବେଳେ ଡବଲ ଇଂଜିନ ସରକାର ହେଲେ ବିକାଶ ହେବ ବୋଲି କହିଥିଲି। ଯେଉଁ ସବୁ ସ୍ୱପ୍ନ ମହିଳା, ଆଦିବାସୀ, କୃଷକ,ଯୁବବର୍ଗ ଆଦି ଦେଖିଛନ୍ତି ସେ ସବୁ ସ୍ୱପ୍ନ ପୂରଣ ହେବ। ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଟିମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।”
ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ବି ଉପସ୍ଥିତ ଏବଂ ରାଜ୍ୟପାଳ ରଘୁବର ଦାସ ବି ଉପସ୍ଥିତ ଅଛନ୍ତି।
‘ସୁଭଦ୍ରା’ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତବ୍ୟ ରଖି କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଳନ କରୁଛୁ । କାରଣ ଆମେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ, ବ୍ୟବସାୟ ପାଇଁ, ପରିବାର ପାଇଁ ତଥା ନିଜ ପିଲାଙ୍କ ପାଇଁ ଏହାକୁ ଖର୍ଚ୍ଚ କରିପାରିବେ। ଏହାଦ୍ୱାରା ରାଜ୍ୟର କୋଟିଏରୁ ଅଧିକ ମହିଳା ଉପକୃତ ହେବେ ।
ଏହି ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଦୁଇଟି କିସ୍ତିରେ ୫ ହଜାର ଲେଖାଏ ଯିବ । ୫ ବର୍ଷ ଯାଏ ମହିଳାମାନେ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ପାଇପାରିବେ। ୨୦୨୧ ସୁଦ୍ଧା ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ଏହି ଯୋଜନା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।