ବାସ୍ତବ ବ୍ୟୁରୋ: ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟ୍ରର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ତାରିଖରେ ଟାଟା ଟ୍ରଷ୍ଟକୁ ନୂତନ ଅଧ୍ୟକ୍ଷ ମିଳିଯାଇଛି। ଟ୍ରଷ୍ଟ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି।
ସୂଚନା ଅନୁସାରେ, ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ନବଲ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସିଥିଲେ। କିନ୍ତୁ ତାଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବୋର୍ଡର ବୈଠକ ବସିଥିଲା। ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ।
ନୋଏଲ୍ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ । ନୋଏଲ୍ ଟାଟା, ରତନ ଟାଟା ଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ରତନ ଟାଟାଙ୍କ ପିତା ନବଲ ହୋର୍ମୁସଜି ଦୁଇଟି ବିବାହ କରିଥିଲେ। ପ୍ରଥମ ବିବାହ ସେ ସୁନି ଟାଟାଙ୍କୁ କରିଥିଲେ। ସୁନିଙ୍କର ଦୁଇ ପୁଅ ଥିଲେ । ସେମାନେ ହେଉଛନ୍ତି ରତନ ଟାଟା ଓ ଜିମ୍ମି ଟାଟା। ଜିମ୍ମି ଏବେ ବି ଜୀବୀତ ଥିବା ବେଳେ ସେ କିନ୍ତୁ ଲାଇଟଲାଇଟ୍ରୁ ଦୂରରେ ଖୁବ୍ ସରଳ ଜୀବନ ଯାପନ କରନ୍ତି। ତେଣୁ ତାଙ୍କୁ ନେଇ ମିଡିଆରେ ବେଶି ଚର୍ଚ୍ଚା ହୁଏନି। ଏହାପରେ ନବଲ ହୋର୍ମୁସଜି ସିମୋନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସିମୋନ ଓ ନବଲ ଟାଟାଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା।
ଟାଟା ଗ୍ରୁପରେ ୪୦ ବର୍ଷରୁ ଅଧିକ ଦିନ ଧରି କାମ କରି ଆସିଛନ୍ତି ନୋଏଲ ଟାଟା। ସେ ବର୍ତ୍ତମାନ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲ୍ଟାସ୍ ଏବଂ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ସମେତ ଟାଟା ଗ୍ରୁପର ଏକାଧିକ କମ୍ପାନୀର ବୋର୍ଡର ସଦସ୍ୟ ଅଛନ୍ତି। ସେ ଟାଟା ଷ୍ଟିଲ ଏବଂ ଟାଇଟନ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।
ଟାଟା ଗ୍ରୁପ୍ର ରିଟେଲ ଟ୍ରେଣ୍ଟରେ ତାଙ୍କ ନେତୃତ୍ୱ ଉଲ୍ଲେଖନୀୟ ରହିଥିଲା। ୧୧ ବର୍ଷରୁ ଅଧିକ ସମୟ ପାଇଁ ଟ୍ରେଣ୍ଟର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୦ରୁ ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ, ଏହି ସମୟରେ ସେ କମ୍ପାନୀର କାରବାରକୁ ୫୦୦ ମିଲିୟନ୍ ଡଲାରରୁ ୩ ବିଲିୟନ ଡଲାରକୁ ବୃଦ୍ଧି କରିଥିଲେ।



