ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଦାନା’

ବାସ୍ତବ ବ୍ୟୁରୋ: ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ୍‌ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ବାତ୍ୟା ‘ଦାନା’ ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ରହିଛି । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଦିଆଯାଇଛି ।

‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ। ୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍‌ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ।  ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି ଡିପ୍ ଡିପ୍ରେସନ୍।  

‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି।

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି। 

ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡିକରେ ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ଏବଂ ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି।

ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପିଲାମାନଙ୍କର ପାଠପଢ଼ା ବନ୍ଦ ରଖାଯାଇଛି। ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଏହି ୩ ଦିନ ବନ୍ଦ ରଖାଯାଇଥିବା ବେଳେ ପୁରୀ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ର ଭିତରୁ ମତ୍ସ୍ୟଜୀବୀମାନେ ଫେରି ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ କରିଛନ୍ତି। ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଉପରେ ପ୍ରଶାସନ ଅଧିକ ଫୋକସ ରଖିଛନ୍ତି। 

ବାତ୍ୟାର ରୂପ ଦେଖି ଏବେ ବିପଦ ଥିବା ୨ଟି ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

ପଶ୍ଚିମବଙ୍ଗରେ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୧୪ଟି ଏନଡିଆରଏଫ ଦଳ ପ୍ରସ୍ତୁତ ରହିଛନ୍ତି। ମତ୍ସ୍ୟଜୀବୀ ତଥା ନାବିକମାନଙ୍କୁ ନିୟମିତ ପାଣିପାଗ ସୂଚନା ଏବଂ ସୁରକ୍ଷା ପରାମର୍ଶ ଦେବା ପାଇଁ ଆଇସିଜି ପଶ୍ଚିମବଙ୍ଗର ହଲଦିଆ ଏବଂ ଓଡ଼ିଶାର ପାରାଦୀପରେ ହେଲିକପ୍ଟର ଏବଂ ରିମୋଟ ଅପରେଟିଂ ଷ୍ଟେସନ ନିୟୋଜିତ କରିଛି।  ‘ଦାନା’ ପାଇଁ ଏବେ ରାଜ୍ୟର ୭ଟି ଜିଲ୍ଲା ହାଇ ଆଲର୍ଟରେ ଅଛନ୍ତି। ୭ଟି ଜିଲ୍ଲାରେ ରହିଛନ୍ତି, ଦକ୍ଷିଣ ୨୪ପରଗାନା, ଉତ୍ତର ୨୪ପରଗାନା, ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନୀପୁର, ବାଙ୍କୁରା,ଝରଗ୍ରାମ ଏବଂ ହୁଗଲି। ଏହି ୭ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜକୁ ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ସରକାର। ଏହା ସହ ୧୫୦ରୁ ଅଧିକ ଟ୍ରେନ ଚଳାଚଳ ବାତିଲ କରାଯାଇଛି।

ସେୟାର କରନ୍ତୁ

Next Post

ବାତ୍ୟା ଅପଡେଟ୍

Wed Oct 23 , 2024
ବାସ୍ତବ ବ୍ୟୁରୋ:  ୨୪ ତାରିଖ ରାତିରୁ ଉପକୂଳରେ ମାଡ଼ ହେବ ଦାନା । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିଛି । ୧୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଭିତରକନିକା- ଧାମରା ପାଖାପାଖି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ । ଦାନା […]

You May Like

Pin It on Pinterest