ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ….

ସଂଜୟଶତପଥୀ(କଟକ): ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ ଦୀର୍ଘଦିନ ଧରି ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଜିଛନ୍ତି ବିଜେପିର ଏହି ଭେଟ୍‌ରାନ୍‌ ନେତା। ତାଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। 

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କଟକ ଖାନ୍‌ନଗର ମଶାଣିରେ ହେବ ସମୀର ଦେ’ଙ୍କ ଶେଷକୃତ୍ୟ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ସୂଚନା ଦେଇଛନ୍ତି। ସ୍ୱର୍ଗତ ଦେ’ଙ୍କ ମରଶରୀର ପ୍ରଥମେ ଓଡ଼ିଶା ବିଧାନସଭାକୁ ନିଆଯିବ। ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମକର୍ତ୍ତା ଶେଷ ଦର୍ଶନ କରିବେ। ତା’ପରେ ମରଶରୀରକୁ କଟକ ପୈତୃକ ଘରକୁ ଅଣାଯିବ। ସେଠାରୁ ଖାନ୍‌ନଗର ମଶାଣି ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ।

ସୂଚନା ଥାଉକି, ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।

ସେୟାର କରନ୍ତୁ

Next Post

ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ନିର୍ବାଚନ -୨୦୨୪

Tue Nov 19 , 2024
ସଂଜୟ ଶତପଥୀ(କଟକ): ବହୁ ଦିନର ପ୍ରତିକ୍ଷା ର ଅନ୍ତ ଘଟିବା ସହ ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର କର୍ମକର୍ତ୍ତା ନିର୍ବାଚନ-୨୦୨୪ ଅନୁଷ୍ଠିତ ହୋଇଛି। ଆଜି କଟକ ର ଓଡ଼ିଶା ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ଗତକାଲି ଶାନ୍ତି ଶୃଙ୍ଖଳା ର ସହ ଏହି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ଭୋଟବାକ୍ସକୁ ବାଟାଲିୟନ ପରିସରରେ କଡା […]

You May Like

Pin It on Pinterest