କ୍ୱାରେଣ୍ଟାଇନ୍ ନିୟମ ଉଲଙ୍ଘନ କାରୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ …

ବାସ୍ତବ ବ୍ୟୁରୋ- ଆଜି ଏକ ଜରୁରୀ ବାର୍ତ୍ତାରେ ଗଣମାଧ୍ୟମ ଜରିଆରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ଯେ ବାହାରୁ ଓଡ଼ିଶାକୁ ଆସୁଥିବା ଭାଇଭଉଣୀମାନଙ୍କୁ ଆମେ ସ୍ବାଗତ କରୁଛୁ ଏବଂ ସେମାନଙ୍କ ଲାଗି ସୁବ୍ୟବସ୍ଥା କରାଯାଇଛି । ମାତ୍ର ମୁଷ୍ଟିମେୟ ଲୋକ କ୍ବାରେଣ୍ଟାଇନ୍ ନିୟମ ମାନୁନାହାନ୍ତି । ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଉଛି, ମାତ୍ର କିଛି ଲୋକଙ୍କ ବେଆଇନ କାର୍ଯ୍ୟକଳାପ ଲାଗି ପୂରା ବ୍ୟବସ୍ଥାକୁ ବିଗିଡ଼ିବାକୁ ଦିଆଯିବନାହିଁ । ଏହି କିଛି ଲୋକମାନଙ୍କ ଲାଗି ପୂରା ସମାଜର ଜୀବନ ପ୍ରତି ବିପଦ ଆଣିବାକୁ ଦିଆଯିବ ନାହିଁ । ବିଶେଷ କରି କ୍ବାରେଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ସେ ସ୍ଫଷ୍ଟ କରିଛନ୍ତି ।

ମୁଖ୍ୟଶାସନ ସଚିବ ଘୋଷଣା କରିଛନ୍ତି,ଯେଉଁମାନେ କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗିବେ ସେମାନଙ୍କୁ ଗିରଫ କରାଯିବ । ଏଥିସହ ଦରକାର ପଡ଼ିଲେ ନିଜ ଜିଲ୍ଲା ବାହାରକୁ ପଠାଇ ସେଠାରେ କ୍ବାରେଣ୍ଟାଇନରେ ରଖାଯିବ । କେବଳ ସେତିକି ନୁହେଁ, ସେମାନଙ୍କୁ ରାଜ୍ୟ ସରକାର ଦେଉଥିବା ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ନାହିଁ । ଆବଶ୍ୟକସ୍ଥଳରେ ନିୟମ ଉଲ୍ଲଂଘନକାରୀଙ୍କ କ୍ବାରେଣ୍ଟାଇନ୍ ଅବଧିକୁ ମଧ୍ୟ ବଢ଼ାଇ ଦିଆଯିବ ।

ସଙ୍ଗରୋଧ କେନ୍ଦ୍ରରେ କୌଣସି ନିୟମ ଉଲ୍ଲଂଘନ ଦେଖିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ସରପଞ୍ଚମାନଙ୍କୁ ସେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ସେମାନଙ୍କୁ କ୍ଷମତା ଦେଇଛନ୍ତି, ସେମାନେ ତାହାର ବ୍ୟବହାର କରନ୍ତୁ। ଆବଶ୍ୟକ ପଡ଼ିଳେ ଜିଲ୍ଲାପାଳ ଓ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଲାଗି ଜଣାନ୍ତୁ।

ଏହା ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଯେବେଠୁ ଅନ୍ୟ ଗୋଟିଏ ପ୍ରଦେଶରୁ ଅନ୍ୟ ପ୍ରଦେଶକୁ ଆସିବାକୁ ଅନୁମତି ମିଳିଲା ସେବେ ଠାରୁ ବହୁ ପ୍ରବାସୀ ଓଡ଼ିଆ ଅନେକ ଗାଡ଼ିରେ ନିଜ ରାଜ୍ୟକୁ ଫେରିଲେଣି । କିନ୍ତୁ ବିନା ଗାଡ଼ି ପାସ୍ ରେ ଆସୁଥିବା ପ୍ରବାସୀଙ୍କୁ ରାଜ୍ୟ ମଧ୍ୟକୁ ଛଡ଼ାଯିବ ନାହିଁ । ସେମାନଙ୍କୁ ପଞ୍ଚାୟତରେ କ୍ବାରେଣ୍ଟିନ୍‌ରେ ରହିବା ବ୍ୟବସ୍ଥା କରାଯାଇଛି । ଆସିବା ପରେ କ୍ବାରେଣ୍ଟିନ୍‌ ନିୟମ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେ କହିଲେ ଯେ ବାହାରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ସୁରୁଖୁରରେ ଫେରାଇ ଆଣିବାକୁ ମୁଖ୍ୟ ମନ୍ତ୍ରୀ ଚାରିଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନସରେ ଆଲୋଚନା କରି ଯୋଜନା କରିଛନ୍ତି । ପ୍ରଶାସନ ତରଫରୁ ସୁନ୍ଦର ଭାବେ ଏସ୍ଓପି ଜାରି କରାଯାଇଛି । ପଞ୍ଚାୟତ ଓ ନଗରାଞ୍ଚଳରେ ଥିବା କ୍ବାରେଣ୍ଟିନ୍ ସେଣ୍ଟର୍‌ ଭିତ୍ତିଭୂମିର ଉନ୍ନତି କରାଯାଇଛି । ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ରାଜ୍ୟ ବାହାରେ ଅଟକି ଯାଇଥିବା ଓଡ଼ିଆମାନେ ଆସିପାରୁଛନ୍ତି। ସ୍ପେସାଲ ଟ୍ରେନ୍ କେରଳରୁ ଆଜି ସକାଳେ ଗଞ୍ଜାମର ଜଗନ୍ନାଥପୁର ଏବଂ ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚିଛି । ହଜାରେରୁ ଅଧିକ ଲୋକ ଆସିଛନ୍ତି । ରେଳବାଇ ଅଧୀକାରୀ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ବାଗତ କରାଯାଇ ଖାଦ୍ୟପାନୀୟ ଯୋଗାଇ ଦିଆଯାଇଗଲା । ବସ୍‌ ଯୋଗେ ୨୦ ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କୁ ସେମାନଙ୍କ ପଞ୍ଚାୟତରେ ପହଞ୍ଚାଯାଇ ସାରିଲାଣି ।

ସୀମାନ୍ତରେ ସଡ଼କରେ ଆସୁଥିବା ପ୍ରବାସୀଙ୍କ ପାଇଁ ୧୨ଟି  ବର୍ଡର ଚେକ୍‌ ପଏଣ୍ଟରେ‌ ବିଭିନ୍ନ ପ୍ରକାର ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି । ପ୍ରବାସୀମାନେ ଫେରିବା ପୂର୍ବରୁ ପଞ୍ଜିକରଣ କରିବା ଦରକାର ଏବଂ ସେମାନେ ଯେଉଁ ଗାଡ଼ିରେ ଆସୁଛନ୍ତି ତା’ର ବିସ୍ତୃତ ବିବରଣୀ ଦେବାକୁ ପଡିବ । କିନ୍ତୁ, କେତେକ ପ୍ରବାସୀ ପ୍ରଶାସନ ନିର୍ଦ୍ଧାରିତ ରାସ୍ତାରେ ନ ଆସି ଅନ୍ୟ ରାସ୍ତାରେ ଆସୁଛନ୍ତି । ସରକାରଙ୍କ ପ୍ରଦତ୍ତ ନିର୍ଦ୍ଧାରିତ ରୁଟ୍‌ରେ ନ ଆସିଲେ ଆସୁଥିବା ଗାଡ଼ି ଜବତ କରାଯିବ ଓ କ୍ବାରେଣ୍ଟିନ୍ ଅବଧି ବଢ଼ାଯିବ। ବସ୍‌ ପାସ୍ ନ ନେଇ ଆସିଥିବା ପ୍ରବାସୀମାନଙ୍କୁ ଛଡ଼ାଯିବ ନାହିଁ। ନିର୍ଦ୍ଧାରିତ ସଂଖ୍ୟା ଠାରୁ କୌଣସି ଯାନରେ ଅଧିକ ସଂଖ୍ୟକ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ମଧ୍ୟକୁ ଛଡ଼ାଯିବ ନାହିଁ। ଯେଉଁମାନେ ପାସ୍‌ ନ ନେଇ ଚାଲି ଆସିଛନ୍ତି ସେମାନଙ୍କୁ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏତେ ସବୁ ବ୍ୟବସ୍ଥା ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ପାଇଁ । ଆମ ପରିଶ୍ରମ ଓ ଯୋଜନା କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ନଷ୍ଟ ନ ହେଉ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ:କର୍ଣ୍ଣାଟକ ସରକାର

Sun May 3 , 2020
ବାସ୍ତବ ବ୍ୟୁରୋ- ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ ପରାମର୍ଶ ଦେଇଛନ୍ତି । ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ବହୁତ ରହିଛି । ଓଡ଼ିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଲୋଚନା କରିଛନ୍ତି । କରୋନା ଭୟରେ ନ ଡରି ତାର ମୁକାବିଲା କରିବା ପାଇଁ କର୍ଣ୍ଣାଟକରେ ଥିବା ଓଡ଼ିଆମାନେ […]

You May Like

Pin It on Pinterest