ବାସ୍ତବ ବ୍ୟୁରୋ: ଆସନ୍ତା ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଉତ୍ସବ। ଆଉ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ୍ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେନାର ବିମାନ ଯୋଗେ ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫.୩୦ମିନିଟ ରେ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ସେଠାରୁ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱର ସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ୪ ତାରିଖ ବୁଧବାର ସକାଳ ୯ଟାରେ ରାଜଭବନରୁ ବାହାରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୂର୍ବାହ୍ନ ୯ଟା ୪୫ମିନଟରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ୧୦.୫୦ରେ ପୁରୀ ସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଅପରାହ୍ନ ୩ଟା ୩୦ମିନିଟ ସମୟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ୪ତାରିଖ ଦିନ ପୁରୀ ରାଜଭବନ ଠାରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏଣେ ୫ ତାରିଖ ଗୁରୁବାର ସକାଳ ୧୦ଟା ୫୦ମିନିଟରେ ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ” ର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ସନ୍ଧ୍ୟା ୫ଟା ୧୦ମିନିଟରେ ଭୂବନେଶ୍ୱର “ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ” ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି।
ସେହିପରି ୬ ତାରିଖ ଶୁକ୍ରବାର ଦିନ ସକାଳ ୯ଟାରେ ରାଜଭବନରୁ ବାହାରି ରାଷ୍ଟ୍ରପତି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରୁ ନିଜ ଜନ୍ମମାଟି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ ।
୧୨.୦୫ରେ ସେଠାରୁ ବାହାରି ଉପରବେଡା ସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ବଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟା ସମୟରେ ସେଠାରୁ ବାହାରି ରାଇରଙ୍ଗପୁର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ବାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ । ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟ ସମୟରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ବର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୁର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତି କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ।
ଏଣେ ଡିସେମ୍ବର ୭ ତାରିଖ ଶନିବାର ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ,ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତିକରଣ, ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ୧୨ଟା ୧୫ମିନିଟରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୁଆଦିଲ୍ଲୀକୁ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅନ୍ୟପକ୍ଷରେ, ଆଜି (ସୋମବାର) ରାଜଧାନୀରେ ରାଷ୍ଟ୍ରପତିଙ୍କ କାରକେଡ ରିହର୍ସଲ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଡିସିପିଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୪୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।
ରାଷ୍ଟ୍ରପତିଙ୍କ ଗସ୍ତ ସହ ନୌସେନା ଦିବସ ପାଇଁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ପାର୍କିଂ ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ୧୪ ଜଣ ଏସପି ରାଙ୍କର ଅଧିକାରୀ ନିୟୋଜିତ ରହିବେ। ସେମାନଙ୍କୁ ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ଅଧିକାରୀ ସହଯୋଗ କରିବେ। ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।