ବାସ୍ତବ ବ୍ୟୁରୋ- ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ ପରାମର୍ଶ ଦେଇଛନ୍ତି । ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ବହୁତ ରହିଛି । ଓଡ଼ିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଲୋଚନା କରିଛନ୍ତି । କରୋନା ଭୟରେ ନ ଡରି ତାର ମୁକାବିଲା କରିବା ପାଇଁ କର୍ଣ୍ଣାଟକରେ ଥିବା ଓଡ଼ିଆମାନେ ସହଯୋଗ କରନ୍ତୁ । ଏଠାରେ ଥିବା ସମସ୍ତ ଓଡ଼ିଆଙ୍କ ପାଇଁ କର୍ଣ୍ଣାଟକ ସରକାର ବ୍ୟବସ୍ଥା କରୁଛନ୍ତି ।

ସେ କହିଛନ୍ତି, ଖୁବଶୀଘ୍ର କର୍ଣ୍ଣାଟକରେ ଚାଲିବ କଳକାରଖାନା ଏବଂ ଶ୍ରମିକମାନେ ପୁଣି କାର୍ଯ୍ୟରେ ଯୋଗଦେଇପାରିବେ । ସବୁଠାରୁ ବଡ଼କଥା ହେଲା କି ଉତ୍ପାଦନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥାସମ୍ଭବ ଆରମ୍ଭ କରାଯିବ । ତେଣୁ ତାଲାବନ୍ଦ ଯୋଗୁଁ ଭୟଭୀତ ହୋଇ ଘରକୁ ଚାଲିଯିବାକୁ ଚାହୁଁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ବେଙ୍ଗାଲୁରରେ ରୁହନ୍ତୁ ଓ ନିଜ ନିଜର ଚାକିରିକୁ ସୁରକ୍ଷିତ ରଖନ୍ତୁ । ଅନ୍ୟପଟେ ସାରା ଦେଶ କରୋନା ମୁକାବିଲା କରୁଥିବାବେଳେ ବେଙ୍ଗାଲୁରରେ ଥିବା ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୂୁତି ଦେଇଛନ୍ତି । ଏହା ସହିତ ଯଦି କୌଣସି ଅସୁବିଧା ହେଉଛି ତେବେ ନିକଟସ୍ଥ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିବାକୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି ।
