ବାସ୍ତବ ବ୍ୟୁରୋ: ପରଲୋକରେ ଭବାନିପାଟଣା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥି । ଆଜି (ବୁଧବାର) ସକାଳ ୮ ଟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ମଧ୍ୟ ହୋଇଥିବା ଜଣାପଡିଥିଲା। ଏନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ ।
୨୦୨୧ ମସିହାରୁ ସଞ୍ଜୟ ଶତପଥୀ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ରୂପେ ଦାୟିତ୍ୱ ଗ୍ରହଣ ନେଇଥିଲେ। ତା’ ପୂର୍ବରୁ ଭୁବନେଶ୍ୱରରେ ସେ କାର୍ଯ୍ୟରତ ଥିଲେ। ସଞ୍ଜୟ ଶତପଥୀଙ୍କ ପରିବାରରେ ପତ୍ନୀ, ଗୋଟେ ପୁଅ ଓ ଗୋଟେ ଝିଅ ଥିବା ଜଣାଯାଇଛି।
ଶିକ୍ଷା ଜଗତ ପ୍ରତି ନିଜ ଅବଦାନ ନିମନ୍ତେ ୨୦୨୨ ମସିହାରେ ସଞ୍ଜୟ ଶତପଥୀଙ୍କୁ ‘ଦେବଗିରି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶିକ୍ଷା ବ୍ୟତୀତ ସେ ଟିଭି ତଥା ରେଡିଓରେ ତଥା ଷ୍ଟେଜରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ସେ ଟେଲିଭିଜନରେ ଜଣେ ଉପସ୍ଥାପକ ଭାବେ ସେ ବେଶ୍ ଜଣାଶୁଣା ଥିବା ବେଳେ ଅଲ ଇଣ୍ଡିଆ ରେଡିଓରେ ଗୀତିକାର ଓ ସଙ୍ଗୀତଜ୍ଞ ରୂପେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।