ବାସ୍ତବ ବ୍ୟୁରୋ : ତୃଣମୂଳ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଓ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ନିଜ ମନ୍ତ୍ରିପରିଷଦ ସହଯୋଗୀଙ୍କୁ ଆଜି ଦାୟିତ୍ୱ ଦେଇଛନ୍ତି ମୋହନ ମାଝୀ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୧୩ଜଣ ମନ୍ତ୍ରୀଙ୍କୁ ମୋଟ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ। କେଉଁ ଜିଲ୍ଲାକୁ କାହାଙ୍କ ଦାୟିତ୍ୱ ମିଳିଛି, ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମାଝୀ।
ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱ ମିଳିଛି। ସେହିପରି ସୁରେଶ ପୂଜାରୀଙ୍କୁ ସୁନ୍ଦରଗଡ଼ ଓ ଦେବଗଡ଼ ରବି ନାଏକଙ୍କୁ ସୋନପୁର ଓ ବଲାଙ୍ଗିର ଦାୟିତ୍ୱ ଦିଆଯାଇଛି।
ନିତ୍ୟାନନ୍ଦ ଗଣ୍ଡଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଓ ସମ୍ବଲପୁର ଦିଆଯାଇଛି। ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଞ୍ଜାମ ଓ ଗଜପତି, ମୁକେଶ ମହାଲିଙ୍ଗଙ୍କୁ ଝାରସୁଗୁଡ଼ା ଓ ବରଗଡ଼, ବିଭୂତି ଜେନାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି।
ସେହିପରି କୃଷ୍ଣ ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ, ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପଡ଼ା, ପ୍ରଦୀପ ବଳସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଢେଙ୍କାନାଳ ଓ ପୁରୀ ଦାୟିତ୍ୱ ଦିଆଯାଇଛି।