
ବରଗଡ଼:-୨/୧(ନବୀନ କୁମାର ଦାଶ):ମା’ ମାଟିକୁ ମୁକ୍ତ କରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗ କରି ଜୀବନ ବ୍ୟାପୀ ସଂଘର୍ଷ କରିଥିବା ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଇତିହାସ ସମଗ୍ର ଭାରତ ବର୍ଷରେ ବିରଳ ଅଟେ।ତେଣୁ ଘେଁସ ବିରଳ ଇତିହାସର ସଂରକ୍ଷଣ ଆବଶ୍ୟକ ରହିଛି ବୋଲି ଘେଁସ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବୀରତା ଦିବସରେ ମତ ପ୍ରକାଶ ପାଇଛି।
ଶହୀଦ ସ୍ମୃତି ସ୍ତମ୍ଭ ଓ ଜମିଦାରଙ୍କ ପୂଜା ପୀଠରେ ପୂଜାର୍ଚ୍ଚନା ପରେ ବୀରତା ଦିବସର ସ୍ମୃତି ସଭା ଆରମ୍ଭ ହୋଇଥିଲା।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ମୃତି ସଭା ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ପୌରୋହିତ୍ୟରେ ଘେଁସ ରାଜବାଟି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଏହାକୁ ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପରି ଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,ବିଶିଷ୍ଟ ଅତିଥି ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ ଯୋଗଦାନ କରି ଏହି ବିରଳ ଇତିହାସକୁ ଲୋକା ଭିମୁଖୀ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ପଦ୍ମଶ୍ରୀ ଡ.ହଳଧର ନାଗ ପ୍ରାରମ୍ଭିକ କବିତା ମାଧ୍ୟମରେ ସ୍ମୃତିଚାରଣ କରିଥିଲେ।
ମୁଖ୍ୟବକ୍ତା ଭାବରେ ପୂର୍ବତନ ପ୍ରାଧ୍ୟାପକ ଡ଼.ଭକ୍ତପୁରଣ ସାହୁ ଘେଁସ ସଂଗ୍ରାମୀଙ୍କ ଅନାଲୋଚିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୌହାନ,ପୂର୍ବତନ ସାଂସଦ ଡ.ପ୍ରଭାସ ସିଂ,ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଘେଁସ ଜମିଦାରଙ୍କ ଦାୟଦ ରଣଜିତ ସିଂ ବରିହା,ଲୋକେଶ୍ୱର ସିଂ ବରିହା,ଶହୀଦ କୁଞ୍ଜେଳ ସିଂହ କ୍ଲବର ବରିଷ୍ଠ ସଦସ୍ୟ ଡୋଲାମଣି ପଟେଲ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଶହୀଦ କୁଞ୍ଜେଳ ସିଂହ କ୍ଲବର ସମ୍ପାଦକ ସୁଦାମା ବାରିକ ଅତିଥିଙ୍କୁ ସ୍ୱାଗତ କରି ଥିବାବେଳେ ଶେଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖସଲା ଧନ୍ୟବାଦ ଦେଇଥିଲେ।ଜିଲ୍ଲା ପ୍ରଶାସନ, ଶହୀଦ କୁଞ୍ଜେଳ ସିଂହ କ୍ଲବର ସଦସ୍ୟ, ଘେଁସ ଗ୍ରାମବାସୀ ପ୍ରମୁଖଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।