ନିଆରା ଢଙ୍ଗରେ ପାଳିତ ହେଲା ଲାଦେର ପାଲିରେ ନବବର୍ଷ,ବୃଦ୍ଧବୃଦ୍ଧା ବନ୍ଧୁ ମିଳନ

ବରଗଡ଼-୨/୧( ନବୀନ କୁମାର ଦାଶ): ବର୍ଷ ଆରମ୍ଭ ହୁଏ ଶେଷ ହୁଏ,ପୁଣି ଆସେ ନବବର୍ଷ ଜାନୁୟାରୀ ଏକ୍ ତାରିଖ।ପୂର୍ବ ଦିଗରୁ ନୂତନ ବର୍ଷରେ ଉଦିଆସେ ନୂତନ ସୂର୍ଯ୍ୟ।ସମୟ ଚକରେ କିପରି ଗୋଟିଏ ବର୍ଷ କଟିଯାଏ ଜଣା ପଡେ ନାହିଁ।ନୂତନ ବର୍ଷ ରେ ନୂତନ ଆଶା ଆକାଂକ୍ଷା ନେଇ ଚଳଚଞ୍ଚଳ ହୋଇଉଠେ ମାନବ ସମାଜ। ଅଧୁରା ରହିଥିବା ସ୍ବପ୍ନକୁ ନବ ବର୍ଷରେ ପୂରଣ କରିବା ପାଇଁ ମନେ ଭରିଥାଏ ତାର ଅସୁମାରୀ ଆଶା।ଏହି ନବ ବର୍ଷକୁ ସାରା ଭାରତରେ ଖୁବ୍ ଯାକଜମକରେ ପାଳନ କରାଯାଏ।

ଚାରିଦିଗେ ଆନନ୍ଦ ଉଲ୍ଲାସରେ ମାତିଥାନ୍ତି ଲୋକ,ଫୁଟୁଥାଏ ବାଣ।ପ୍ରାୟତଃ ଏହି ଦିନକୁ ପିକନିକ୍ ଯାଇ ଲୋକେ ଭୋଜି ଭାତରେ ମଉଜ ମସ୍ତିରେ ଅତିବାହିତ କରିଥାନ୍ତି।ଏବଂ କେତେକ ମନ୍ଦିର,ତୀର୍ଥ ସ୍ଥାନ ଭ୍ରମଣ ସହ ଦାନ ଧର୍ମ କରି ବିଭୁ କୃପା ଲାଭ ପୂର୍ବକ ନୂତନ ବର୍ଷ ଟି ଖୁସି ରେ ଯିବା ପାଇଁ ଭଗବାନଙ୍କ ଠାରେ ଆଶିର୍ବାଦ ଭିକ୍ଷା କରିଥାନ୍ତି।କିନ୍ତୁ ଏହି ଦିନକୁ ଭିନ୍ନ ଧରଣ ରେ ପାଳନ କରାଯାଏ ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅଧିନ ଲାଦେରପାଲି ଗ୍ରାମରେ।ଏହି ଦିନ ଗ୍ରାମର ସମସ୍ତ ବୃଦ୍ଧ ବୃଦ୍ଧା ତଥା ଆଖପାଖରୁ ବୟସ୍କ ଙ୍କୁ ନିମନ୍ତ୍ରଣ କରାଯାଏ।

ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଇଷ୍ଟଦେବତା ବୀର୍ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଣେ ପରେ ଜଣେ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ଫୁଳ ଚନ୍ଦନ ଲଗାଇ ଘଣ୍ଟ,ଶଂଖ ହରି ବୋଲ ହୁଳହୁଳି ସହ ତାଙ୍କର ପାଦୁକା ପୂଜା ସହ ଆଦର ସତ୍କାର କରା ଯାଏ।ଭଜନ ପ୍ରବଚନ,ରାମାୟଣ ଆଦି ଗାନ କରାଯାଏ ଏବଂ ମଧ୍ୟାହ୍ନରେ ସମସ୍ତ ଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରା ଯାଇଥାଏ।ଆନନ୍ଦ ଉଲ୍ଲାସରେ ଗାଁଆରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇ ଥାଏ।ସନ୍ଧ୍ୟାରେ କୁନି କୁନି ପିଲାଙ୍କ ନୃତ୍ୟ, ସଂଗୀତ,କୀର୍ତ୍ତନ,ସଂଚାର କଳା,କବି ସମ୍ମିଳନୀ ଆଦି ବହୁ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ସମ୍ପ୍ରତିକ ଯୁଗରେ ପୁଅ ବୋହୁ ମାଁ ବାପ୍, ଶାଶୁ ଶ୍ୱଶୁର ଙ୍କୁ ଅନାଦର କରୁଥିବା ବେଳେ,ସେମାନେ ବୁଝି ପାରୁ ନାହାନ୍ତି ଯେ ମାତାପିତା ହେଉଛନ୍ତି ସାକ୍ଷାତ୍ ଭଗବାନ।

ହେଲେ ଲାଦେରପାଲି ର ଏହି ବୃଦ୍ଧବୃଦ୍ଧା ଙ୍କ ବନ୍ଧୁ ମିଳନ ଟି ସମସ୍ତଙ୍କୁ ଏକତାର ଡୋରିରେ ବାନ୍ଧି ରଖି ମିଲିମିଶି ରହିବାକୁ ନୀତିଶିକ୍ଷା ଦେଇଥାଏ।ଦୂରଦୁରାନ୍ତରେ ଖୁବ୍ ପ୍ରସଂସା କରାଯାଇ ଭଗବତ ପିପାସୁ ସଂସ୍କୃତି ପ୍ରେମି ମାନେ ଏହାକୁ ଏକ ନିଆରା ପରମ୍ପରା ବୋଲି କହିଥାନ୍ତି।ଏହା କେବଳ ଏକ ନିଆରା ପରମ୍ପରା ନୁହେଁ, ବରଂ ମାନବତା ଏବଂ ସତ୍ୟ ଶାନ୍ତି ଏକତା,ଶିଷ୍ଟାଚାର ର ଶ୍ରେଷ୍ଠ ନିଦର୍ଶନ ଅଟେ।ପ୍ରତିବର୍ଷ ପାଖାପାଖି ଦୁଇ ଶହ ବୃଦ୍ଧ ବୃଦ୍ଧା ପାଦୁକା ପୂଜା ପାଇ ଆଦର ସତ୍କାର ପୂର୍ବକ ହସଖୁସିରେ ଅନ୍ନ ପ୍ରସାଦ ଗ୍ରହଣ କରି ଘରକୁ ଫେରିଥାନ୍ତି।କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଗତ ବର୍ଷ ଇହଧାମ ତ୍ୟାଗ କରିଥିବା ପବିତ୍ର ଆତ୍ମାଙ୍କ ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥାଏ।ଏହି ବର୍ଷ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ସକାଳ ୮ଟାରେ ଦେବପୂଜା,୯ ଟାରେ ପାଦୁକା ପୂଜା ଏବଂ ମଧ୍ୟାହ୍ନ ୧ ଟାରେ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପ୍ରବଚକ ଅଏଁଠୁ ସାହୁ(ମହଦା,ବୀର ମହାରାଜପୁର,ସୁବର୍ଣ୍ଣପୁର)ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରାୟଣ,ସନ୍ଧ୍ୟା ୪ଟାରେ କିର୍ତ୍ତନ୍ୟଧାରା କାର୍ଯ୍ୟକ୍ରମ ରେ ଗାୟକ ବୁଲୁ ସତପଥି,ବିଶ୍ୱାମିତ୍ର ପାଣ୍ଡେ,ରଘୁନାଥ ବଘାର,ଚନ୍ଦନ ମହାର,ପ୍ରହଲ୍ଲାଦ ଭୋଇ, ବଲିଷ୍ଠ ଷଣ୍ଢ ଓ ସାଥି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଲାଦେରପାଲି ଗ୍ରାମର ଆବାଳବୃଦ୍ଧବନିତା ଏବଂ ଯୁବ ସମାଜ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ରାଜ୍ୟପାଳ ଭାବେ ଶପଥ ନେଲେ ହରି ବାବୁ କମ୍ଭମ୍‌ପତି

Fri Jan 3 , 2025
ବାସ୍ତବ ବ୍ୟୁରୋ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମ୍‌ପତି । ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ହରି ବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ । ରାଜଭବନର ନୂଆ ଅଭିଷେକ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ୍ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ […]

You May Like

Pin It on Pinterest