ବାସ୍ତବ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଛି। ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି। ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି। ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।
ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ସାଧାରଣ ଲୋକଙ୍କ ପାଇଁ ବଂଚିବା କଷ୍ଟ ହୋଇଗଲାଣି । ବୋଝ ଉପରେ ନଳିତା ବିଡା ଭଳି ଅଦିନିଆ ବର୍ଷା ହୋଇଛି । କିନ୍ତୁ ସରକାରଙ୍କ ସହାୟତା କିଛି ନାହିଁ । ମାଆମାନେ କାନ୍ଦୁଛନ୍ତି, ଚାଷୀ ମାନେ କାନ୍ଦୁଛନ୍ତି କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମିଛ କଥା କହି ବିଜେପି ସରକାରକୁ ଆସିଛି । ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ଼ ।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ’ ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ସେପଟେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ସରକାରୀ ଦଳର ବିଧାୟକ ଓ ସାସଂଦଙ୍କ ପିସି ଆଦାୟକୁ ଦରଦାମ୍ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି।