ବାସ୍ତବ ବ୍ୟୁରୋ: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ । ଭୁବନେଶ୍ୱରର ଜନତା ମଇଦାନରେ ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ। ଏହାର ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ।
ଆଜି ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଲେ, “ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ। କୋଭିଡ ସମୟରେ ଭାରତ ନିଜସ୍ୱ ଟିକା ତିଆରି କରିଥିଲା। ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା। ବହୁତ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି। ସ୍ୱଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢ଼ାଅ ଏହାର ଉଦାହରଣ ବୋଲି କହିଛନ୍ତି ଜୟଶଙ୍କର।
ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନରେ ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚରାଲ ଆମ୍ବାସଡର। ବିକଶିତ ଭାରତରେ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି।”
ଦେଶର ବିକାଶରେ କେମିତି ପ୍ରବାସୀଙ୍କ ଭାଗିଦାରୀ ବଢିବ ସେନେଇ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଯୁବ ବ୍ୟାପର ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶ ହିତରେ ଯୋଗଦାନ ପାଇଁ ସେ ପ୍ରବାସୀଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଏବେ ୨୦ ଜଣ ନାଗରିକରୁ ୧୩ ଯୁବକ । ଦେଶ ବିକାଶରେ ଯୁବକମାନଙ୍କ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ।
ସୂଚନାନୁଯାୟୀ, କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ପ୍ରବାସୀ ଭାରତୀୟ। ସେମାନେ ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଡବଲ ଡେକର୍ ବସ୍ ରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍ ୱିକ୍ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେଇଛନ୍ତି ।
ସେପଟେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ଭୁବନେଶ୍ବର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ୩ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ।
ତେବେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ।