ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା; ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା

ବାସ୍ତବ ବ୍ୟୁରୋ: ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ଲାଗୁ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଅନ୍ତର୍ଗତ ରାଜ୍ୟର ୧.୩ କୋଟି ପରିବାରଙ୍କୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ ।

ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ବକ୍ତବ୍ୟ ରଖି କହିଛନ୍ତି, “ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ । ଆଗାମୀ ଦିନରେ ରାଜ୍ୟର ପ୍ରତି ପଞ୍ଚାୟତରେ  ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଉଛି । ଆଜି ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଲେଖାଯାଇଛି ।”

ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, “ବିରୋଧୀ ଦଳରେ ଥିବା ବେଳୁ ଏହି ଯୋଜନାକୁ ଲାଗୁ କରିବାକୁ ଦାବି କରିଥିଲୁ । ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କରିଛୁ । ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାର ଉପକୃତ ହେବେ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ । ଦେଶର ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।”

ସୂଚନାନୁଯାୟୀ, ରାଜ୍ୟରେ ଆସନ୍ତା ଫେବ୍ରୁଆରି ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ମିଳିପାରିବ । ଏଥିରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ରହିଛି ।

ଯୋଜନା ଜରିଆରେ ଦେଶର ୫୫ କୋଟି ହିତାଧିକାରୀ ଉପକୃତ ହେବେ । ଏହାସହ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଏହି ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି । ଯୋଜନା ଲାଗୁ ପରେ ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ  ମିଳିବ ସ୍ୱାସ୍ଥ୍ୟ କାର୍ଡ । ଆୟୁଷ୍ମାନ ଭାରତ  ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମଧ୍ୟ ମିଳିବ । ଏହି ଯୋଜନା ଦ୍ୱାରା ୨୭ ଶହ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ ।  

ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା)  ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ ।  ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ। ପୁରୁଣା କାର୍ଡର ପରିବର୍ତ୍ତନ ହେବ ଲୋଗୋ।

ଏହାଦ୍ୱାରା ବରିଷ୍ଠ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବାର ସୁବିଧା ମିଳିବ। ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ନୂଆ ନାଁ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା) ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସେୟାର କରନ୍ତୁ

Next Post

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଆମ ସାଥିରେ ଚାରିଟେବୁଲ ଟ୍ରଷ୍ଟ...

Mon Jan 13 , 2025
ସଂଜୟ ଶତପଥୀ(କଟକ): ଦ୍ବୈତ ନଗରୀ କଟକ-ଭୁବନେଶ୍ବର ରେ ସଚେତନତା ଅଭାବରୁ ଜନସାଧାରଣ ଦୈନନ୍ଦିନ ସଡକ ଦୁର୍ଘଟଣାର ଶୀକାର ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ବିଭାଗ, ଓଡ଼ିଶା ଟ୍ରାଫିକ ପୋଲିସ୍, ସମାଜସେବୀ ଅନୁଷ୍ଠାନମାନେ ପ୍ରତି ଛକ, ରାସ୍ତା ପାର୍ଶ୍ବରେ ଉପସ୍ଥିତ ରହି ଗାଡ଼ି ଚାଳକ‌ମାନଙ୍କୁ ସରକାରୀ ନିୟମାନୁସାରେ ଗାଡ଼ି ଚଲାଇବାକୁ ତଥା ଆକସ୍ମିକ ଦୁର୍ଘଟଣା […]

You May Like

Breaking News

Pin It on Pinterest