ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ….

ସଂଜୟ ଶତପଥୀ(କଟକ):- ୨୦/୧ – ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ଗତ ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଯାଇଅଛି । ମୃତ୍ୟୁବେଳକୁ ସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ ।

ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଓ ଓଡ଼ିଶାବାସୀଙ୍କ ପ୍ରିୟ ଚିକିତ୍ସକ ।

ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହା । ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ୧୯୬୨ ମସିହାରେ ପାସ୍ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍ ୱାଲ୍‌ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ପାରିଛନ୍ତି । ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ ।

ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆଓ୍ବାର୍ଡ ଓ ଏ.ପି. ବର୍ମା ଆରେସନ ଆଓ୍ବାର୍ଡ ଅନ୍ୟତମ । ବିଦେଶରେ ବହୁ ପୁରସ୍କାର ପାଇବା ସହ ରୋଟାରୀ ଗଭର୍ଣ୍ଣର ଥିବା ସମୟରେ ଓଡ଼ିଶାର ପୁରପଲ୍ଲୀର ପାନୀୟ ଜଳ ପାଇଁ ୫୦୦ଟି ନଳକୂପ ବସାଇ ଖ୍ୟାତି ଅର୍ଜନ କରିପାରିଛନ୍ତି । ତାଙ୍କର ସମାଜ ସେବା ପ୍ରତି ଏକ ମହାନ୍ ଅବଦାନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ମୃତ୍ୟୁରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିବା ସହ ଶୋକର ଛାୟା ଯାଇଛି । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଏପ୍ରିଲରୁ ଓଡ଼ିଶାରେ ଲାଗୁ ହେବ ଏନ୍ଇପି

Tue Jan 21 , 2025
ବାସ୍ତବ ବ୍ୟୁରୋ: ଏପ୍ରିଲରୁ ଓଡ଼ିଶାରେ ଲାଗୁ ହେବ ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି (ଏନ୍ଇପି) । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରାଯାଇଛି । ଏଥି ସହ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବା ନେଇ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ଆଜି ଅର୍ଥାତ ମଙ୍ଗଳବାର ଠାରୁ ୩ ଦିନ ଧରି ଜାତୀୟ ଶିକ୍ଷା  ନୀତି ୨୦୨୦ ପ୍ରଣୟନକୁ […]

You May Like

Pin It on Pinterest