‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ୨୦୨୫ ଉଦଘାଟିତ

ବାସ୍ତବ ବ୍ୟୁରୋ: ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫। କନକ୍ଲେଭ୍ ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା।  ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଦୁଇଦିନିଆ କନକ୍ଲେଭ୍ ରେ ରାଜ୍ୟପାଳ ଡକ୍ଟର  ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ଉପସ୍ଥିତ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରି କହିଛନ୍ତି, “ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି।”

କନକ୍ଲେଭ୍ ରେ ଯୋଗଦେବା ଲାଗି ୭୫୦୦ରୁ ଅଧିକ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏଥିରେ ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ଭଳି ୧୬ଟି ଦେଶରୁ କୂଟନୀତିଜ୍ଞ, ନିବେଶକ ଓ ପ୍ରତିନିଧି ଭାଗ ନେବେ। ଭିଏତନାମ୍, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକା ଓ ନେପାଳର ପ୍ରତିନିଧି ମଧ୍ୟ ଆସିବେ। ଫର୍ଚୁନ୍ ୪୦୦ କମ୍ପାନି ମଧ୍ୟରୁ ୧୦୦ଟି କମ୍ପାନି ଅଂଶଗ୍ରହଣ କରିବେ। ୧୦୦ରୁ ଅଧିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହି କନକ୍ଲେଭ୍ ଜରିଆରେ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। କନକ୍ଲେଭ୍ ଭାଗ ନେବାକୁ ଥିବା ବିଶିଷ୍ଟ ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲ୍, ଜେଏସ୍ଡବ୍ଲୁ ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର କରନ ଆଦାନୀ ଓ ଅନ୍ୟମାନେ। 

ଏଣେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, “ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ | ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ। ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି | ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ।ମାଲକାନଗିରି, ରାୟଗଡ଼ା, କେନ୍ଦୁଝରରେ ଫୁଡ଼ ପ୍ରସେସିଂ ପାଇଁ ସମ୍ଭାବନା ରହିଛି।ସ୍କିଲଡ ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ।”

ସୂଚନାନୁଯାୟୀ, କନକ୍ଲେଭ୍ ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ସିଇଓ ରାଉଣ୍ଡ୍ଟେବୁଲ୍, ମହିଳା ନେତୃତ୍ବ ରାଉଣ୍ଡ୍ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍ଟେବୁଲ୍ ଅନୁଷ୍ଠିତ ହେବ। ଫୋକସ୍ରେ ଥିବା ଦେଶଗୁଡ଼ିକୁ ମଧ୍ୟ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ। 

ସେୟାର କରନ୍ତୁ

Next Post

୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି- ମୁଖ୍ୟମନ୍ତ୍ରୀ ଓଡିଶା....

Wed Jan 29 , 2025
ଭୁବନେଶ୍ବର ୨୯/୦୧ /୨୦୨୫:ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ । 2036 […]

You May Like

Pin It on Pinterest