ବାସ୍ତବ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡିଶାର ରେଳବାଇ କ୍ଷେତ୍ର ପାଇଁ ବଜେଟ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ବଜେଟରେ ଓଡିଶାକୁ ମିଳିଛି ୧୦,୫୯୯ କୋଟି । ୨୦୨୪ ବଜେଟରେ ଏହି ପରିମାଣ ୧୦୫୮୬କୋଟି ଟଙ୍କା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଦ୍ୱିତୀୟ ବର୍ଷର ବଜେଟରେ ପୁଣିଥରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦ହଜାର କୋଟି ଟଙ୍କାରୁ ଅଧିକ ବଜେଟ୍ ବ୍ୟୟବରାଦ ହୋଇଛି ।
ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଗତ ୩ଟି ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ କ୍ଷେତ୍ରକୁ ବଜେଟରେ ୧୦ହଜାର ଟଙ୍କାରୁ ଅଧିକ ବ୍ୟୟବରାଦ ହେଉଛି । ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୮୬ କୋଟି ଟଙ୍କା, ୨୦୨୩-୨୪ରେ ୧୦୦୧୨କୋଟି ଟଙ୍କାର ଅନୁଦାନ ମିଳିଥିଲା । କେନ୍ଦ୍ରରେ ୟୁପିଏ ସରକାର ସମୟରେ ଓଡ଼ିଶାକୁ ମାତ୍ର ୮୩୮କୋଟି ଟଙ୍କା ରେଳବାଇ କ୍ଷେତ୍ର ପାଇଁ ମିଳୁଥିଲା। କିନ୍ତୁ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସ ରହିଛି।
ସୂଚନାନୁଯାୟୀ, ଅମୃତ ଭାରତ ଯୋଜନାରେ ଓଡ଼ିଶାର ୫୯ଟି ନୂଆ ରେଳଷ୍ଟେସନ କାର୍ଯ୍ୟ ଜାରି ରହିଛି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବାବେଳେ ଖୁବଶୀଘ୍ର ଆଉ ନୂଆ ଟ୍ରେନ ଚାଲିବ । ଓଡ଼ିଶାରେ ରେଳବାଇର ୧୦୦ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି। ଆଗାମୀ ୬ବର୍ଷ ମଧ୍ୟରେ ଯାତ୍ରୀ ସୁରକ୍ଷା ନିମନ୍ତେ ‘କବଚ’ ସୁରକ୍ଷା ଇନଷ୍ଟେଲେସନ୍ କାର୍ଯ୍ୟ ଶେଷ ହେବ । ୨୦୨୪ ଜୁଲାଇରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡ଼ିଶାରେ ୧୮୮୮ କିମି ରେଳଲାଇନ୍ରେ କବଚ ଇନଷ୍ଟେଲେସନ୍ ଚାଲିଛି ।