ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

ବାସ୍ତବ ବ୍ୟୁରୋ : ପରଲୋକରେ ବିଶିଷ୍ଟ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକ ନେଇ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ସୂତ୍ରରୁ ଏହି ସୂଚନା ମିଳିଛି।

ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର  ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ତେବେ ଉତ୍ତମ ମହାନ୍ତିଙ୍କର ପରଲୋକ ଖବର ଶୁଣି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର, ଦର୍ଶକ ଓ ପ୍ରଶଂସକ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

୨୩ ଡିସେମ୍ବର ୧୯୫୮ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ। ବାରିପଦାରେ ହିଁ ତାଙ୍କର ହାଇସ୍କୁଲ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବିବାହ କରିଥିବା ବେଳେ ଏକମାତ୍ର ପୁଅ ବାବୁସାନ ହେଉଛନ୍ତି ଜଣେ ସଫଳ ଅଭିନେତା। 

ଉତ୍ତମ ମହାନ୍ତି ୧୯୭୭ ମସିହାରେ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ। ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ଆଗକୁ ବଢ଼ିଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ଭେଟି ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ । ୧୩୫ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।

ତାଙ୍କୁ ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅନେକ ଥର ଶ୍ରେଷ୍ଠ ଅଭିନେତା ଓ ସହ ଅଭିନେତା ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ଅବଦାନକୁ ସ୍ବୀକୃତି ଜଣାଇ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ସେ ଜୟଦେବ ପୁରସ୍କାର ସମେତ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସେୟାର କରନ୍ତୁ

Next Post

ଲୋକପ୍ରିୟ ଅଭିନେତା ଉତମ ମହାନ୍ତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ...

Fri Feb 28 , 2025
ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି : ମନମୋହନ ସାମଲ ।ବାସ୍ତବବ୍ୟୁରୋ(ଭୁବନେଶ୍ବର)୨୮/୦୨: ଓଡିଆ ଚଳଚ୍ଚିତ୍ର ଜଗତର ସର୍ବାଧିକ ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତମ ମହାନ୍ତିଙ୍କ ନୂଆଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ସ୍ୱର୍ଗତଃ […]

You May Like

Pin It on Pinterest