ବାସ୍ତବ ବ୍ୟୁରୋ: ମାର୍ଚ୍ଚ ୫ ତାରିଖରେ ପାଳନ କରାଯାଏ ପଞ୍ଚାୟତିରାଜ ଦିବସ । ଏଥିପାଇଁ ପୂର୍ବରୁ ସରକାରୀ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଛୁଟି ରହୁଥିଲା। କିନ୍ତୁ ଏଥର ମାର୍ଚ୍ଚ ୫ ତାରିଖରେ ସମସ୍ତ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି।
ସୂଚନାନୁଯାୟୀ, ୨୦୨୦ ମସିହାରୁ ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ଏଣିକି ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ୍ ୨୪ରେ ପଞ୍ଚାୟତରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।



