
ବରଗଡ଼(ନବୀନ କୁମାର ଦାଶ): ବରଗଡ଼ ଜିଲା ଅତାବିରାରେ ଗତ ବୁଧବାର ସକାଳ ୮ଟାରେ ସିବିଆଇ ଚଢ଼ାଉ କରିଛି। ସିବିଆଇର ୧୦ ଜଣିଆ ୨ଟିମ୍ ନିକଟସ୍ଥ ପରମାଣପୁର ଗ୍ରାମର ଖାଦ୍ୟ ଓ ଯୋଗାଣ ବିଭାଗର ଶ୍ରମିକ ଠିକାଦାର ଜି.ସତ୍ୟନାରାୟଣ ଏବଂ ଅତାବିରାର ବ୍ୟବସାୟୀ ଜି.ନରସିଂହ ମୂର୍ତିଙ୍କ ଘରେ ଚଢ଼ାଉ କରିଛନ୍ତି ।
ସତ୍ୟନାରାୟଣ ଏବଂ ନରସିଂହ ମୂର୍ତି ସମ୍ପର୍କରେ ପୁତୁରା ଏବଂ କାକା ।କେଉଁ କାରଣ ନେଇ କକା, ପୁତୁରା ଘରେ ଏହି ଚଢ଼ାଉ ଚାଲିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବେଆଇନ ଅର୍ଥ କାରବାରରେ କେତେକ ବଡ଼ବଡ଼ିଆ ଅଧତ୍କରୀଙ୍କ ସଂମ୍ପୃକ୍ତି ଏବଂ ରାଜନୈତିକ ଲିଙ୍କ୍ ରରହିଥିବା ନେଇ ସିବିଆଇ ଏହି ଚଢ଼ାଉ କରିଥିବା ସାଧାରଣରେ ଆଲୋଚନା ହେଉଛି।
ସକାଳ ପ୍ରାୟ ୮ଟାରେ ସିବିଆଇର ୨ଟିମ୍ ୨ଟି କାର୍ରେ ପ୍ରଥମେ ପରମାଣପୁର ଆନ୍ଧ୍ରପଡ଼ାରେ ରହିଥିବା ସତ୍ୟନାରାୟଣଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଘରେ ତନାଘନା କରିବା ସହିତ ସତ୍ୟନାରାୟଣଙ୍କ ପୁଅ ଜି.ଉମା ମହେଶଙ୍କୁ ସିବିଆଇର ଏକ ଟିମ୍ କାର୍ ଯୋଗେ ଗୌଡ଼ଟିକ୍ରାରେ ରହିଥିବା ତାଙ୍କ ଧାନ ବିହନ ଡିପୋକୁ ଉଠାଇ ନେଇଥିଲେ। ସେଠାରେ ସେହି ଟିମ୍ ତାଙ୍କୁ ପଚରାଉଚରା କରିଥିବାବେଳେ ଅନ୍ୟ ଟିମ୍ ସତ୍ୟନାରାୟଣଙ୍କ ଘରେ ଉପସ୍ଥିତ ରହି ତନାଘନା ଚଳାଇଥିଲେ। ତାଙ୍କ ଘରୁ ବିଭିନ୍ନ କାଗଜାତ ଜବତ କରିବା ସହିତ ତାଙ୍କ ସ୍ଥାବର, ଅସ୍ଥାବର ସମ୍ପରି ଆକଳନ କରିଥିଲେ।
ପରେ ସିବିଆଇ ଟିମ୍ ଅତାବିରା ଶାନ୍ତପଡ଼ାସ୍ଥିତ ସତ୍ୟନାରାୟଣଙ୍କ କକା ନରସିଂହ ମୂର୍ତିଙ୍କ ବାସଭବନକୁ ପହଞ୍ଚିଥିଲେ। ଚଢ଼ାଉ ସମୟରେ ନରସିଂହ ମୂର୍ତ୍ତି ଅନୁପସ୍ଥିତ ଥିବାବେଳେ ସିବିଆଇ ଟିମ୍ ସେଠାରେ ତାଙ୍କ ଏକ ଘରକୁ ସିଲ୍ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ପଚାରିବାରୁ ସିବିଆଇ ପକ୍ଷରୁ କୌଣସି ସୂଚନା ମିଳିନଥିଲା ।